ଗୋଆ ଦେଶର ସବୁଠୁ ଧନୀ ରାଜ୍ୟ, ବିହାର ସବୁଠୁ ଗରିବ

youtube

ନୂଆଦିଲ୍ଲୀ ୨୩।୭: ଭାରତର ଅର୍ଥ ବ୍ୟବସ୍ଥା ଲଗାତାର ଆଗକୁ ବଢିବାରେ ଲାଗିଛି, ହେଲେ ସବୁ ରାଜ୍ୟଙ୍କ ବିକାଶ ହାର ଏକା ଭଳି ନୁହେଁ। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଲୋକସଭାରେ ଯେଉଁ ତାଜା ରିପୋର୍ଟ ଉପସ୍ଥାପନ କରିଛି ସେଥିରେ ଗୋଆକୁ ଦେଶର ସବୁଠୁ ଧନୀ ରାଜ୍ୟ ବୋଲି ଦର୍ଶାଯାଇଛି, ଏହି ରିପୋର୍ଟ ଅନୁସାରେ ବିହାର ସବୁଠୁ ଗରିବ ରାଜ୍ୟ ବୋଲି ଜଣାପଡିଛି। ଏହି ତଥ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଜାରି ୨୦୨୩-୨୪ ଜିଡିପି ଅନୁମାନ ଉପରେ ଆଧାରିତ। 

ରିପୋର୍ଟ ଅନୁସାରେ ଗୋଆରେ ପ୍ରତିବ୍ୟକ୍ତି ବାର୍ଷିକ ଆୟ ୩,୫୭,୬୧୧ ଟଙ୍କା, ଯାହା ଦେଶରେ ସବୁଠୁ ଅଧିକ। ଏହା ପଛକୁ ପ୍ରତିବ୍ୟକ୍ତି ଆୟ ୨,୯୨, ୩୩୯ ଟଙ୍କା ସହିତ ସିକ୍କିମ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୨,୭୧,୪୯୦ ଟଙ୍କା ସହିତ ଦିଲ୍ଲୀ ତୃତୀୟ, ୨,୫୬,୯୧୨ଟଙ୍କା ସହିତ ଚଣ୍ଡିଗଡ଼ ଚତୁର୍ଥ ସ୍ଥାନରେ ଥିବା ବେଳେ ବାର୍ଷିକ ପ୍ରତିବ୍ୟକ୍ତି ଆୟ ୧,୪୫,୯୨୧ ଟଙ୍କା ସହିତ ପୁଡୁଚେରୀ ପଞ୍ଚମ ସ୍ଥାନରେ ରହିଛି। ଦେଶର ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପ୍ରତିବ୍ୟକ୍ତି ଆୟ ମାମଲାରେ ସବୁଠୁ ଆଗରେ ଅଛନ୍ତି। 

ସେହିପରି ପ୍ରତି ବ୍ୟକ୍ତି ଆୟରେ ବିହାରର ସ୍ଥାନ ସବୁଠୁ ତଳେ ରହିଛି। ଏହି ରାଜ୍ୟରେ ବାର୍ଷିକ ପ୍ରତିବ୍ୟକ୍ତି ଆୟ ୩୨,୨୨୭ ଟଙ୍କାରୁ ବି କମ୍। ଏହା ପଛକୁ ୫୦,୪୩ ଟଙ୍କା ବାର୍ଷିକ ପ୍ରତିବ୍ୟକ୍ତି ଆୟ ସହିତ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାର୍ଷିକ ୬୫,୦୬୨ ଟଙ୍କା ଆୟ ସହିତ ଝାଡଖଣ୍ଡ ତୃତୀୟ ସ୍ଥାନରେ ରହିଛି। ଅର୍ଥାତ ପୂର୍ବ ଭାରତୀୟ ରାଜ୍ୟ ଏବେବି ବାକି ଭାରତ ଠାରୁ ପ୍ରତି ବ୍ୟକ୍ତି ଆୟରେ ଢେର ପଛରେ ଅଛନ୍ତି। 

ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଛନ୍ତି ଯେ ଦେଶରେ ହାରାହାରି ପ୍ରତି ବ୍ୟକ୍ତି ରାଷ୍ଟ୍ରୀୟ ଆୟ (ନିଟ୍ ନ୍ୟାସନାଲ ଇନକମ) ୧,୧୪,୭୧୦ ଟଙ୍କା । ୧୦ ବର୍ଷ ପୂର୍ବେ ଅର୍ଥାତ ୨୦୧୪-୧୫ରେ ଏହି ହାର ୭୨,୮୦୫ଟଙ୍କା ଥିଲା। ତେବେ ସବୁ ରାଜ୍ୟର ବିକାଶ ଏକ ଭଳି ନୁହେଁ। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟମାନଙ୍କରେ ଆୟରେ ଅନେକ କାରଣରୁ ପ୍ରଭେଦ ହୋଇଥାଏ, ଯେପରିକି ରାଜ୍ୟର ଆର୍ଥିକ ପରିସ୍ଥିତି, ଇଣ୍ଡଷ୍ଟ୍ରି ଷ୍ଟ୍ରକ୍ଚର, ଗଭର୍ଣ୍ଣାସ ସ୍ଥିତି ଓ ସଂସାଧନର ଉପଯୋଗ ଆଦି। 

ରିପୋର୍ଟ ଅନୁସାରେ କେତେକ ବଡ଼ ରାଜ୍ୟ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଯେପରିକି କର୍ଣ୍ଣାଟକ, ଏଠାରେ ପ୍ରତିବ୍ୟକ୍ତି ବାର୍ଷିକ ଆୟ ୧.୯୧ ଲକ୍ଷ ଟଙ୍କା ହୋଇଥିବା ବେଳେ ତାମିଲନାଡୁରେ ୧.୭୯ଲକ୍ଷ ଓ ତେଲେଙ୍ଗାନାରେ ଲୋକଙ୍କ ପ୍ରତିବ୍ୟକ୍ତି ବାର୍ଷିକ ଆୟ ୧.୭୭ ଲକ୍ଷ ଟଙ୍କା। ଏହାର ଅର୍ଥ ରାଜ୍ୟମାନେ ମଧ୍ୟ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରୁଛନ୍ତି। ତେବେ ମନ୍ତ୍ରୀଙ୍କ କହିବା କଥା ହେଲା ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ ମଡେଲ ଉପରେ କାମ କରୁଛୁ। ତେବେ ରିପୋର୍ଟ କହୁଛି ଯେଉଁଠି କିଛି ରାଜ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ବେଳେ ଆଉ କିଛି ରାଜ୍ୟଙ୍କ ନିମନ୍ତେ ମଜଭୁତ ନୀତି ଓ ନିବେଶର ଆବଶ୍ୟକତା ରହୁଛି।     

Leave A Reply

Your email address will not be published.