
ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶୁକ୍ରବାର ଲୋକସେବା ଭବନରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କର ଉଦଘାଟନ କରିଛନ୍ତି । କଟକ, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର ଏବଂ ଗଞ୍ଜାମ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ଉଦଘାଟିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଥିବାବେଳେ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ମଧ୍ୟ ସମ୍ଭାବନା ରହିଛି । ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାର ବସ୍ତ୍ର ପୂରା ଦେଶରେ ପହଞ୍ଚାଇବାକୁ ହେବ । ଏନେଇ ୩୩ଟି ଏମଓୟୁ ସ୍ବାକ୍ଷରିତ, ହୋଇଛି । ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି । ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଟେକ୍ସଟାଇଲ୍ ଓ ଆପାରେଲ୍ ଉତ୍ପାଦନ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ଓଡ଼ିଶା ।
ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଉଦଘାଟନୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଥିଲେ ।