
ବ୍ରହ୍ମପୁର : ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବୁଧବାର ଦିନ ISRD-ଶକ୍ତିସଦନ ଏବଂ ୱାନ୍ ଷ୍ଟପ୍ ସେଣ୍ଟର, ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାନବ ଶୃଙ୍ଖଳ ଓ ପଦଯାତ୍ରାର ଆୟୋଜନ କରାଯାଇଥିଲା, ଯାହାକୁ ବ୍ରହ୍ମପୁର ରେଳ ଷ୍ଟେସନର ମ୍ୟାନେଜର ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ବ୍ରହ୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଉଦଘାଟନୀ ଅଭିଭାଷଣରେ ଶ୍ରୀ ବ୍ରହ୍ମା କହିଥିଲେ ଯେ, ମାନବ ଚାଲାଣ ଏକ ସଂଗଠିତ ଅପରାଧ ଏବଂ ଏହାକୁ ସମାପ୍ତ କରିବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଦଲାଲ ଓ ଅପରାଧୀଙ୍କ କାର୍ଯ୍ୟଶୈଳୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ଚାଲାଣକାରୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ରାଜଶ୍ରୀ ଦାସ, ମୁଖ୍ୟ ଟିଟି ଶ୍ରୀଯୁକ୍ତ ରଶିରଞ୍ଜନ ବେହେରା, ସ୍ୱାସ୍ଥ୍ୟ ନିରୀକ୍ଷକ ଶ୍ରୀଯୁକ୍ତ ଡି. ବିଷ୍ଣୁ, ରେଳ ସୁରକ୍ଷା ବାହିନୀର ASI ଶ୍ରୀଯୁକ୍ତ ସଦାନନ୍ଦ ଦାସ ଏବଂ ସରକାରୀ ରେଳ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ସମାଜ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପୀଡ଼ିତାଙ୍କୁ ସୁରକ୍ଷା, ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ଯୋଗାଇ ଦେବାର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମକୁ ସଞ୍ଚାଳନା କରି ISRDର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ କହିଥିଲେ ଯେ, ଦଲାଲମାନେ ପୀଡ଼ିତାଙ୍କୁ ଆକର୍ଷିତ କରିବା ପାଇଁ ସୋସିଆଲ ମିଡିଆ, ଅନଲାଇନ୍ ମାର୍କେଟପ୍ଲେସ୍ ଏବଂ ୱେବସାଇଟ୍ ଭଳି ଇଣ୍ଟରନେଟ୍ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି । ଗ୍ରାମାଞ୍ଚଳରୁ ଦାଦନ, ଚାକିରି ବା ଅନ୍ୟ କୌଣସି ରୋଜଗାର ନାମରେ ବାହାରକୁ ଯାଉଥିବା ଶିଶୁ ଓ ମହିଳାଙ୍କ ସଠିକ୍ ତଥ୍ୟ ପଞ୍ଚାୟତ ସ୍ତରରେ ରହୁନାହିଁ । ତେଣୁ, ପଞ୍ଚାୟତ ସ୍ତରରେ ଥିବା ଶିଶୁ ଓ ମହିଳା ସୁରକ୍ଷା କମିଟିକୁ ପ୍ରଶିକ୍ଷଣ ମାଧ୍ୟମରେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ରେଳ ସୁରକ୍ଷା ବାହିନୀ (RPF)ର ରବୀନ୍ଦ୍ର କୁମାର ବେହେରା, ମନୋଜ କୁମାର ବେହେରା, ଯୁବରାଜ ରୋହିଣୀଙ୍କ ସମେତ ସରକାରୀ ରେଳବାଇ ପୋଲିସର କର୍ମକର୍ତ୍ତା, ସମସ୍ତ ଟିଟି, ସ୍ୱଚ୍ଛସାଥୀ, ହକର, କୁଲି, ଅଟୋ ଆସୋସିଏସନର କର୍ମକର୍ତ୍ତା ଏବଂ ବହୁ ସମାଜସେବୀ ଯୋଗ ଦେଇଥିଲେ । ISRD ଓ ୱାନ୍ ଷ୍ଟପ୍ ସେଣ୍ଟରର ମହେଶ୍ଵତା ପାଢୀ, ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ସୌଦାମିନୀ ସାହୁ, ସାବିତ୍ରୀ ଦଳବେହେରା, ଐଶ୍ଵର୍ଯ୍ୟା ସାବତ, ବଜରଙ୍ଗୀ ନାୟକ, ସୁଶୋମିତା କାଜୀ ଓ ଅନିତା ମଲିକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଦଳବେହେରା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।