ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱିତୀୟ ନୋଟିସ

youtube

ପାଟନା : ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନ ଆଉ ଥରେ ନୋଟିସ୍‌ ପଠାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ନେତାଙ୍କୁ କମିଶନ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ପୁଣି ଥରେ ଜବାବ ମାଗିଛନ୍ତି। ଏହି ସମ୍ୱନ୍ଧରେ ଦୀଘା ବିଧାନସଭା ଅଞ୍ଚଳର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ବୁଧବାର ଚିଠି ଲେଖା ଯାଇଛି। ଏଥିରେ ତେଜସ୍ୱୀଙ୍କ ଦ୍ୱାରା ୧ ଅଗଷ୍ଟରେ ପ୍ରେସ୍‌ କନଫରେନ୍ସରେ କୁହାଯାଇ ଥିବା EPIC ସହ ସମ୍ୱନ୍ଧିତ ଭୋଟର ଆଇଡିକୁ ୮ ଅଗଷ୍ଟ ସୁଦ୍ଧା ଜମା କରିବାକୁ କହିଛନ୍ତି। ଗତ ରବିବାର ମଧ୍ୟ ତେଜସ୍ୱୀ ଯାଦବଙ୍କୁ କମିଶନଙ୍କ ପକ୍ଷରୁ ନୋଟିସ୍‌ ପଠାଯାଇ ଥିଲା। କୁହାଯାଉଛି ଯେ, ବିରୋଧୀ ନେତାଙ୍କ ପକ୍ଷରୁ ପ୍ରଥମ ଚିଠିର ଜବାବ ନମିଳିବା ପରେ ତାଙ୍କୁ ଆଉ ଥରେ ନୋଟିସ୍‌ ପଠାଯାଇଛି।  

ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଦ୍ୱାରା କରାଯାଇ ଥିବା ଭୋଟର ତାଲିକା ସଂଶୋଧନର ,ଘର ଘର ବୁଲି ଯାଞ୍ଚ ଅଭିଯାନ ପରେ ,୧ ଅଗଷ୍ଟକୁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇ ଥିଲା। ଏହାର ତୁରନ୍ତ ପରେ ତେଜସ୍ୱୀ ଯାଦବ ପାଟନାରେ ପ୍ରେସ୍‌ କନଫରେନ୍ସ କରି ଦାବି କରିଥିଲେ ଯେ , ତାଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ସେ ମିଡ଼ିଆ ସାମ୍ନାରେ ନିଜର EPIC ( ଭୋଟର ପରିଚୟ ସଂଖ୍ୟା) କମିଶନର ଅଫିସିଆଲି ୱେବସାଇଟ୍‌ରେ ଦେଇ ଏସଆଇଆର ଡ୍ରାଫ୍ଟରେ ନିଜ ନାଁ ସର୍ଚ୍ଚ କରିଥିଲେ। ତେଜସ୍ୱୀ ଦାବି କରିଛନ୍ତି ଯେ, ତାଙ୍କ ନାମ ଡ୍ରାଫ୍ଟରେ ନାହିଁ। 

ହେଲେ , ଆରଜେଡି ନେତାଙ୍କ ଏହି ଦାବିକୁ ନିର୍ବାଚନ କମିଶନ ଖାରଜ କରି ଦେଇ ଥିଲେ। ପାଟନାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ କୁହାଯାଇଛି ଯେ, ତେଜସ୍ୱୀଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ବିହାର ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପୁସ୍ତକାଳୟ ଭବନ ଭୋଟର କେନ୍ଦ୍ର ନମ୍ୱର ୨୦୪ ରେ ରୁଜୁ ଅଛି। ପ୍ରଶାସନ ପକ୍ଷରୁ ଏହାର ଫଟୋ ମଧ୍ୟ ସାର୍ବଜନିକ କରାଯାଇ ଥିଲା। 

ନିର୍ବାଚନ କମିଶନ ତାଙ୍କ ନୋଟିସ୍‌ରେ କହିଛନ୍ତି ଯେ, ତେଜସ୍ୱୀ ଯାଦବ ପ୍ରେସ୍‌ କନଫରେନ୍ସରେ ଯେଉଁ EPIC ଅର୍ଥାତ୍‌ ଭୋଟର ଆଇଡି ନମ୍ୱର ଦେଖାଇ ଥିଲେ , ଏହାକୁ ଭୁଲ୍‌ କହିଛନ୍ତି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ କହିଛନ୍ତି ଯେ ,  EPIC ନମ୍ୱର RAB2916120 ସରକାରୀ ଭାବେ ଜାରି କରାଯାଇ ନାହିଁ । ଡ୍ରାଫ୍ଟ ଭୋଟର ତାଲିକାରେ ତେଜସ୍ୱୀ ଯେଉଁ EPIC ନମ୍ୱର ପାଇଛନ୍ତି , ତାହା ହେଉଛି RAB0456228 ।ଏପରି ପରିସ୍ଥିତିରେ , ନୋଟିସ୍‌ରେ କୁହାଯାଇଛି ଯେ, ତେଜସ୍ୱୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇ ଥିବା ଭୋଟର ପରିଚୟପତ୍ର କମିଶନଙ୍କ ନିକଟରେ ଦାଖଲ କରାଯିବା ଉଚିତ୍‌ , ଯାହା ଦ୍ୱାରା ଏହାର ତଦନ୍ତ କରାଯାଇ ପାରିବ।

Leave A Reply

Your email address will not be published.