
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ୱାଶିଂଟନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରୁ ୱାଶିଂଟନ ଡିସିକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧ ତାରିଖରୁ ଉଡ଼ାଣ ସେବା ବନ୍ଦ ହେବ ।
ଯାହାର କାରଣ ଦର୍ଶାଇ ଏୟାର ଇଣ୍ଡିଆ କହିଛି କି, ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବା ପାଇଁ କାମ ଚାଲିଛି । ଏହା ଯୋଗୁଁ ଅନେକ ବିମାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ଉପଲବ୍ଧ ହେବ ନାହିଁ । ଏହି କାମ ୨୦୨୬ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏହାସହିତ ପାକିସ୍ତାନର ଆକାଶପଥ ବନ୍ଦ ଥିବାରୁ ଦୂରଗାମୀ ବିମାନରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏୟାର ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି ।
ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୧ ପରେ ବିମାନ ଯାତ୍ରା ପାଇଁ ବୁକ୍ କରିଥିବା ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରାଯିବ ଏବଂ ସେମାନଙ୍କୁ ଦୁଇଟି ବିକଳ୍ପ ଦିଆଯିବ । ଅନ୍ୟ ଏକ ବିମାନରେ ସିଟ୍ ବୁକ୍ କରିବା ଏବଂ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବାର ବିକଳ୍ପ ଦିଆଯିବ ।
ଯାତ୍ରୀମାନେ ଏବେ ବି ଏୟାର ଇଣ୍ଡିଆର ଆଲାସ୍କା ଏୟାରଲାଇନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ ପରି ଇଣ୍ଟରଲାଇନ୍ ପାର୍ଟନର ମାଧ୍ୟମରେ ଜେଏଫ୍କେ, ନ୍ୟୁୟର୍କ, ନେୱାର୍କ, ଚିକାଗୋ କିମ୍ବା ସାନ ଫ୍ରାନ୍ସିସ୍କୋ ଦେଇ ୱାଶିଂଟନ ଡିସି ଯାଇପାରିବେ ।