
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ବେସରେ ସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି ।
ଆଜିର ଏହି କୃଷ୍ଣ ବଳରାମ ବେଶରେ ମହାପ୍ରଭୁ ଶ୍ରୀପୟର, ପାଉଁଜି, ପାହୁଡ଼, ଗୋଡ଼ମୁଦି, ମଲ୍ଲୀକଢ଼, ଚନ୍ଦ୍ର, ଚିତା, ନାକଚଣା, ହାତଫେର, ଖଡୁ ଭଳି ଅନେକ ଅଳଙ୍କାର ପରିଧାନ କରିଥାନ୍ତି । ସୁଭଦ୍ରାଙ୍କ ମସ୍ତକରେ କିରୀଟ ମଧ୍ୟ ଶୋଭା ପାଇଥାଏ । ସୁବ ଠାକୁରଙ୍କ କିରୀଟରେ କଦମ୍ୱ ଫୁଲ ସହ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବାସୁଦେବ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ତାୟମାନ ଭଙ୍ଗୀରେ ରଖାଯାଏ । ଶ୍ରୀଜୀଉମାନଙ୍କ ଏହି ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ ହୋଇଥିବାବେଳେ ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ଶ୍ରୀଜୀଉଙ୍କର ଏହି କୃଷ୍ଣ ବଳରାମ ବେଶ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିବ । ଏହି ବେଶରେ ମହାପ୍ରଭୁଙ୍କୁ ତାଙ୍କ ପ୍ରିୟ ଖିରି ଓ ଅମାଲୁ ଭୋଗ କରାଯାଏ ।