
ଚିକିଟୀ — ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ଥ ଧାନଘର ଛକରେ ଉପଜିଲ୍ଲାପାଳ ଅବିନାଶ କୁମାର ଅଚାନକ ଚଢ଼ାଉ କରିଥିଲେ l ସୂଚନା ପ୍ରକାରେ ଚିକିଟୀ ବିଷାକ୍ତ ମଦ ମୃତ୍ୟୁର ଏକ ବର୍ଷ ପରେ ମୃତକଙ୍କ ପରିବାର ଓ ମଦ ମୃତ୍ୟୁ କବଳରୁ ଜୀବିତ ଥିବା ବ୍ୟକ୍ତିକୁ ଭେଟିବାକୁ ଯାଇ ଜେନାପୁର ଗ୍ରାମରେ ପହଞ୍ଚି ଘଟଣାର ତଦାରଖ କରି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ମଦ୍ୟପାନ ବିଷୟରେ ଆଲୋଚନା ବେଳେ ନିକଟସ୍ଥ ଦେଶୀ ମଦ ବିକ୍ରେତା ମାମି ସାହୁଙ୍କ ସମ୍ପର୍କରେ ସୂଚନା ପାଇ ପହଞ୍ଚି ୫ ଲିଟର ଦେଶୀମଦ ଜବତ କରିଥିଲେ। ତାହା ପରେ ପରେ କୌଣସି ପ୍ରକାରେ ଖବର ପାଇ ଧାନଘର ଛକରେ ଅଚାନକ ତିନୋଟି ପାନ ଦୋକାନରେ ଚଢ଼ାଉ କରି ପ୍ରାୟ ୨୫୦ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରିଥିଲେ। ଏହି ଚଢ଼ାଉ ବେଳେ ମିଳିତ ଭାବେ ସ୍ଥାନୀୟ ତହସିଲଦାର ବିଶ୍ଵ ରଞ୍ଜନ କହଁର, ଚିକିଟୀ ଅବକାରୀ ବିଭାଗ ନିରୀକ୍ଷକ ସଞ୍ଜୟ କୁମାର ଭୁକ୍ତା, ଉପ ନିରୀକ୍ଷକ ଲକ୍ଷ୍ମୀ ରେଡ୍ଡୀ ଙ୍କ ସହ ସମସ୍ତ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଚଢ଼ାଉ ରେ ଶହ ଶହ ବିଦେଶୀ ମଦ ବୋତଲ ଜବତକୁ ଭିତ୍ତି କରି ଉପ ଜିଲ୍ଲାପାଳ ନିକଟସ୍ଥ କରବାଲୁଆ ଠିପି ବନ୍ଦ ମଦ ଦୋକାନରେ ପହଞ୍ଚି ସମସ୍ତ ପ୍ରକାର ଅନୁସନ୍ଧାନ କରି ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଟିକୁ ତଦନ୍ତର ସମାପ୍ତ ପର୍ଯ୍ୟନ୍ତ ସିଲ୍ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଚାରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି।