
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରଠାରୁ ଜାରି ରହିଛି ଭାରତ-ପାକିସ୍ତାନର ଉତ୍ତେଜନା । ଫଳରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା । ଏହାରି ମଧ୍ୟରେ ବଡ଼ପଣ ଦେଖାଇଛି ଭାରତ । ଏଥି ସହିତ ଭାରତ ପାକିସ୍ତାନକୁ ପରାମର୍ଶ ଦେବା ସହିତ ବନ୍ୟା ସମ୍ପର୍କରେ ସତର୍କ କରିଛି । ଯାହାର ସୂଚନା କୌଣସି ଏକ ରିପୋର୍ଟରୁ ମିଳିଛି ।
ସୂଚନାନୁଯାୟୀ, ବନ୍ୟା ସମ୍ପର୍କରେ ସୂଚନା ପାଇଁ ପାକିସ୍ତାନ ସହିତ ଯୋଗାଯୋଗ କରିଛି ଭାରତ । ଯାହା ଅପରେସନ୍ ସିନ୍ଦୂର ପରେ ଭାରତର ପ୍ରଥମ ଯୋଗାଯୋଗ । ଜମ୍ମୁର ତାୱି ନଦୀରେ ପ୍ରବଳ ବନ୍ୟା ଆସିବାର ସମ୍ଭାବନା ରହିଛି । ଯାହା ପାକିସ୍ତାନ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ ବୋଲି ଭାରତୀୟ ଉଚ୍ଚାୟୋଗ ଇସଲାମାବାଦକୁ ଜଣାଇଛି । ଭାରତର ଚେତାବନୀ ପରେ ପାକ୍ ପ୍ରଶାସନ ମଧ୍ୟ ଏକ ସତର୍କତା ଜାରି କରିଛି । ଭାରତ-ପାକିସ୍ତାନ ମଧ୍ୟ ଦେଇ ସିନ୍ଧୁ ଜଳ ପ୍ରବାହିତ ହୁଏ । ଯାହାଫଳରେ ପାକିସ୍ତାନ ପ୍ରଭାବିତ ହୋଇଥାଏ । ଦୁଇ ଦେଶର ବିବାଦ ସତ୍ତ୍ବେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ବନ୍ୟା ସତର୍କତା ପଠାଇଛି । ଯାହାକି ଭାରତର ବଡ଼ପଣର ପରିଚୟ ଦେଇଛି ।
ଅନ୍ୟପଟେ ୨୨ ଏପ୍ରିଲ ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଥିଲା । ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସେଥିରେ ଅନ୍ତର୍ଭୁକ୍ତ ଥିଲା । କିନ୍ତୁ ଏହାରି ମଧ୍ୟରେ ଭାରତ ପାକିସ୍ତାନକୁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ।