
ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ନେତା ଭୋଟ୍ ଅଧିକାର ଯାତ୍ରାରେ ସାମିଲ ହୋଇ ବିଜେପି ବିରୋଧରେ ହୁଙ୍କାର ଭରିବେ। ଭୋଟ୍ ଚୋରି, ଏସଆଇଆର ଭଳି ପ୍ରସଙ୍ଗରେ ବିଜେପି ପାଇଁ ପ୍ରସ୍ତୁତ କରିବେ ଚକ୍ରବ୍ୟୂହ।
ରାହୁଲ,ତେଜସ୍ବୀ, ପ୍ରିୟଙ୍କାଙ୍କ କେମେଷ୍ଟ୍ରୀ
ରାହୁଲ ଓ ତେଜସ୍ବୀଙ୍କ ଭୋଟର ଅଧିକାର ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀ। 2024 ଲୋକସଭା ନିର୍ବାଚନ ସମୟରେ ପ୍ରିୟଙ୍କାଙ୍କ ଜନସଭାକୁ ନେଇ ଆଗ୍ରହ ପ୍ରକାଶ ପାଇଥିଲା। ତେବେ କେବଳ ରାହୁଲଙ୍କ ସଂସଦୀୟ କ୍ଷେତ୍ର ଓ୍ବାଏନାଡ ଓ ଉତ୍ତରପ୍ରଦେଶରେ ହିଁ ବ୍ୟସ୍ତ ରହିଥିଲେ ପ୍ରିୟଙ୍କା। ତେବେ ବିହାର ନିର୍ବାଚନୀ ମଇଦାନକୁ ମଙ୍ଗଳବାର ଓହ୍ଲାଇବେ ପ୍ରିୟଙ୍କା। ସେ ରାହୁଲ ଓ ତେଜସ୍ବୀଙ୍କ ସହ ସୁପୌଲ ଓ ମଧୁବନୀ ଯାତ୍ରା କରିବେ। ବୁଧବାର ଦରଭଙ୍ଗା ଓ ମୁଜାଫରପୁରରେ ରୋଡ୍ ଶୋ କରିବେ ପ୍ରିୟଙ୍କା।
କମାଲ କରିବେ ପ୍ରିୟଙ୍କା !
ବିହାରର ଅଧା ଜନସଂଖ୍ୟା ମହିଳା ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିବେ ପ୍ରିୟଙ୍କା। ମିଥିଳାର ଚୌରଚନରେ ହରତାଲିକା ତିଜ୍ ପର୍ବ ଦିନ ହିଁ ପ୍ରିୟଙ୍କା ବିହାର ଆସୁଛନ୍ତି। ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହିଦିନ ଉପବାସ ରଖନ୍ତି ମହିଳା। ସେହିଦିନ ହିଁ ଭୋଟର ଅଧିକାର ଯାତ୍ରାରେ ସାମିଲ ହୋଇ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୋର୍ ଭୋଟବ୍ୟାଙ୍କ ଭାଙ୍ଗିବାକୁ ରଣନୀତି କରିଛନ୍ତି। ଜେଡିୟୁ ଓ ବିଜେପିର ଗଡ଼ କୁହାଯାଉଥିବା ଅଞ୍ଚଳରେ ଯାତ୍ରା କରିବେ ପ୍ରିୟଙ୍କା। ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବା ଦିଗରେ ପ୍ରିୟଙ୍କାଙ୍କ ରୋଡ୍ ଶୋ ରଣନୀତି ପ୍ରସ୍ତୁତ କରିଛି ମହାଗଠବନ୍ଧନ।
ଆସିବେ ଷ୍ଟାଲିନ, ସିଦ୍ଧରମୟା
ଭୋଟର ଯାତ୍ରାରେ ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ଶୁକ୍ରବାର କର୍ଣ୍ଣାଟକ ସିଏମ୍ ସିଦ୍ଧରମୟା ସାମିଲ ହେବେ। ଉଭୟ ଷ୍ଟାଲିନ୍ ଓ ସିଦ୍ଧରମୟାଙ୍କୁ ସାମାଜିକ ନ୍ୟାୟର ମଜବୁତ ସ୍ବର କୁହାଯାଏ। ବିହାରରେ ଦଳିତ ଓ ଓବିିସି ଭୋଟରଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାହୁଲ ଓ ତେଜସ୍ବୀଙ୍କ ସହ ଷ୍ଟାଲିନ ଓ ସିଦ୍ଧରମୟା ଓହ୍ଲାଇବା ଦ୍ବାରା ଦଳିତ ଓ ଓବିସି ଭୋଟରଙ୍କୁ ରାଜନୈତିକ ସନ୍ଦେଶ ଦେବାକୁ ଯାଉଛି ବିରୋଧୀ ମେଣ୍ଟ।
ରାହୁଲ, ତେଜସ୍ବୀ, ଅଖିଳେଶଙ୍କ ଯୋଡ଼ି
ଅଗଷ୍ଟ ୩୦ ତାରିଖରେ ଭୋଟର ଅଧିକାର ଯାତ୍ରାରେ ସାମିଲ ହେବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ୟୁପି ସହ ଲାଗିକରି ଥିବା ବିହାରର ସିଓ୍ବାନ, ଗୋପାଳଗଞ୍ଜ ଭଳି ଜିଲ୍ଲା ଗସ୍ତ କରିବେ। ରାହୁଲ ଓ ଅଖିଳେଶଙ୍କ ଯୋଡ଼ି 2024 ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ସଫଳତା ହାସଲ କରିଥିଲା। ପଛୁଆ, ଦଳିତ ଓ ସଂଖ୍ୟାଲଘୁ ରାଜନୀତି ଜରିଆରେ ୟୁପିରେ ପକଡ଼ ମଜବୁତ କରିଥିବା ଅଖିଳେଶ ଏବେ ତେଜସ୍ବୀଙ୍କ ସହ ମିଛି ନୀତିଶ ସରକାରଙ୍କୁ ବଡ଼ ଚ୍ୟାଲେଞ୍ଜ ଦେବାକୁ ଯାଉଛନ୍ତି।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏସଆଇଆରକୁ ନେଇ ଇଣ୍ଡିଆ ମେଣ୍ଟ ନିଶାନାରେ ରହିଛନ୍ତି ନିର୍ବାଚନ କମିଶନ। ଏଭଳି ସମୟରେ ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବ ଭୋଟର ଅଧିକାର ଯାତ୍ରା ବାହାର କରି ରାଜନୈତିକ ତାତି ବଢାଇଛନ୍ତି। ସାସାରାମରୁ ପଟନା ପର୍ଯ୍ୟନ୍ତ 13ଶହ କିଲୋମିଟର ରୁଟ ଦ୍ବାରା ଅଧିକରୁ ଅଧିକ ଜିଲ୍ଲା କଭର କରିବାକୁ ଯୋଜନା ରହିଛି। ଯାତ୍ରା ସମୟରେ ବରିଷ୍ଠ ନେତା ରାସ୍ତାକୁ ଓହ୍ଲାଇ ବିହାରରେ ରାଜନୈତିକ ବଜ୍ ସୃଷ୍ଟି କରିବାକୁ ରଣନୀତି କରିଛି ମହାଗଠବନ୍ଧନ।