ରାଜନଗରରେ ମାତିଛନ୍ତି ଲୁଟେରା, ଗ୍ୟାଙ୍ଗକୁ କେବେ ଧରିବ ପୋଲିସ ?

youtube

ରାଜନଗର: ରାଜନଗରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ପୁଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବୁଲାଉଛନ୍ତି କଳାକନା । ଜୁଲାଇ ମାସ ୪ ତାରିଖ ରାତି ପ୍ରାୟ ୨ ଟା । ବ୍ରାହ୍ମଣସାହି ଇସ୍କନ ମନ୍ଦିର ଭିତରେ ଦୁର୍ବୁତ୍ତ ମାନେ ପଶି ଭକ୍ତମାନଙ୍କୁ ବାହାରୁ ତାଲା ପକାଇ ଦାନ ବାକ୍ସ ସହ ଠାକୁରଙ୍କ ମୂଲ୍ୟବାନ ଗହଣା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଲେ ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜୁଲାଇ ମାସ ୧୪ ତାରିଖ ରାତି ପ୍ରାୟ ଗୋଟାଏ । ଦୁର୍ବୃତ୍ତମାନେ ଭିତରଗତ ପଞ୍ଚାୟତ ଅଫିସର ତାଲା ଭାଙ୍ଗି ଲାପଟପ, ୪ ଟି ଟିଭି ,କମ୍ପୁଟର ସମେତ ଅନେକ ସାମଗ୍ରୀ ଲୁଟିନେଲେ ।

ରାଜନଗର ବଜାର ଉପରୁ ମୋଟର ସାଇକେଲ ଡିକି ଭାଙ୍ଗି ୪୨ ହଜାର ଟଙ୍କା ଲୁଟି ନିଆଗଲା । ସେହିପରି ଅଷ୍ଟଶମ୍ଭୁ ସ୍କୁଲ ଓ ବନବିହାରୀପୁର ସ୍କୁଲରେ ଏହି ଲୁଟେରା ଗ୍ୟାଙ୍ଗ ପଶି କଳାକନା ବୁଲାଇଛନ୍ତି । ଗୋଟିଏ ମାସରେ ୧୫ ଟି ସ୍ଥାନରେ ଏହି ଗ୍ୟାଙ୍ଗ ଲୁଟ କରି ରାଜନଗରବାସୀଙ୍କ ଆଖିରୁ ନିଦ ହଜାଇଦେଇଛନ୍ତି । ହେଲେ ରାଜନଗର ପୋଲିସ ଗୋଟିଏ ଘଟଣାରେ ବି କାହାକୁ ଧରିବାରେ ସଫଳ ହୋଇପାରିନି ।

ଆଗକୁ ଆସୁଛି ଦୂର୍ଗା ପୂଜା । ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ଉଠିଲାଣି ପ୍ରଶ୍ନ । ରାଜନଗର ବ୍ଲକ୍ ରେ କଥା କଥାକେ ଖଣ୍ଡା ବୁଲାଉଛନ୍ତି ଅପରାଧୀ । ବନ୍ଧୁକ ଦେଖାଇ କରୁଛନ୍ତି ଭୟଭୀତ । ଅଳ୍ପ କିଛିଦିନ ଭିତରେ ରାଜନଗର ଅଞ୍ଚଳର ଦୁଇଟି ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି । ଅପରାଧୀମାନେ ଖୋଲାଖୋଲି ବନ୍ଧୁକ ଧରି ଆତଙ୍କ ଖେଳାଉଛନ୍ତି । ଏଇ କିଛିଦିନ ତଳେ ଜଣେ ସ୍କୁଲ ଛାତ୍ରୀକୁ ଦୃବୁତ୍ତମାନେ ଏକ ନିଛାଡିଆ ସ୍ଥାନରେ ଗଣ ବଳାତ୍କାର ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ତେବେ ରାଜନଗର ବଜାର ମଧ୍ୟ ଭାଗରେ ଥାନା ରହିଛି । ଥାନାର ୧୦୦ ମିଟର ଦୂରରେ ଦୋକାନରୁ ଚୋରି ହେଉଥିବା ବେଳେ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ବିଫଳ ହେଉଛି । ପୁଲିସର ପାଟ୍ରୋଲିଂ ଅଭାବରୁ ଦିନକୁ ଦିନ ଅପରାଧୀମାନେ ସକ୍ରିୟ ହେଉଛନ୍ତି । ପୋଲିସ ପାଟ୍ରୋଲିଂ କୁ କଡାକଡି କରିବା ସହ ଏହି ଅପରାଧୀକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଦାବି ହୋଇଛି । ଅନ୍ୟପଟେ ଏ ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

Leave A Reply

Your email address will not be published.