ବିଜେଡି ଛାଡିଲେ ଭାସ୍କର ରାଓ, ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ ନେଇ ଘୋଷଣା…

ବିଜେଡିକୁ ଏହା ଏକ ଶକ୍ତ ଝଟକା…

youtube

ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି : ପୂର୍ଵତନ ମନ୍ତ୍ରୀ ଏବଂ ଜିଲ୍ଲା ସଭାପତି ଜଗନ୍ନାଥ ଶାରକା

ଭୁବନେଶ୍ବର: ପୁଣି ବିଜେଡିକୁ ଶକ୍ତ ଝଟକା । ଅସନ୍ତୋଷ ଝାଡି ଦଳ ଛାଡିଲେ ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ । ପୂର୍ବତନ ସାଂସଦ ଭାସ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପ୍ରତି ଥିବା ତାଙ୍କ ଅସନ୍ତୋଷ ବଖାଣିଥିବା ବେଳେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ ଦଳ ଛାଡିବା ପରେ ଏଥିସହିତ ‘ବିଜୁ ସ୍ୱାଭିମାନ ମଞ୍ଚ’ ନାମକ ଏକ ନୂତନ ରାଜନୈତିକ ମଞ୍ଚ ଗଠନର ଘୋଷଣା କରିଛନ୍ତି ଭାସ୍କର ।

ତେବେ ପୂର୍ବତନ ନେତା ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ସହଯୋଗୀ ଭାସ୍କର ଦଳ ଛାଡିବା ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି  । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି  । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । କେହି ଭାବିନଥିଲେ ଏଭଳି ନିଷ୍ପତ୍ତି ନିଆଯିବ ବୋଲି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ   । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ  । ହେଲେ ଏସବୁକୁ ଅଣଦେଖା କରାଗଲା । ରାଜନୀତି ପଛ, ଜିଲ୍ଲା ଲୋକଙ୍କ କଥା ଆଗ ବୋଲି କହିଛନ୍ତି ବିଜେଡି ନେତା ଏନ ଭାସ୍କର ରାଓ । ଏଥିସହିତ ନୂତନ ରାଜନୈତିକ ମଞ୍ଚ ଗଠନ ନେଇ କହିଛନ୍ତି, ନିଜର  ନୂତନ ମଞ୍ଚ ବିଜୁ ବାବୁଙ୍କ ମୂଳ ମୂଲ୍ୟବୋଧ ଏବଂ ଦୃଷ୍ଟିକୋଣକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖିଛି, ଯାହାକୁ ସେ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ କ୍ଷୀଣ କରିଦିଆଯାଇଛି ବୋଲି ଦାବି କରୁଛନ୍ତି । ଏହା କେବଳ ଏକ ରାଜନୈତିକ ସଂଗଠନ ନୁହେଁ, ବରଂ ଓଡ଼ିଶାର ଗର୍ବ ଏବଂ ଅଖଣ୍ଡତାକୁ ପୁନର୍ବାର ହାସଲ କରିବା ପାଇଁ ଏକ ଆନ୍ଦୋଳନ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାସ୍କର । ଏଠାରେ ସୂଚନା ଥାଉକି ରାୟଗଡା ଜିଲ୍ଲାର ୩ ବିଧାନସଭା ଆସନ କଂଗ୍ରେସ ଅକ୍ତିଆର କୁ ଚାଲିଯାଇଛି କେବଳ ଭାସ୍କର ଏବଂ ସୁଧୀର ପାଇଁ ଜିଲ୍ଲାର ଏପରି ଅବସ୍ଥା ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଭାସ୍କର ଙ୍କ ଏହି ନିଷ୍ପତି ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ବିଜେଡି ର ପୂର୍ବତନ ମନ୍ତ୍ରୀ ଏବଂ ଏବେକାର ଜିଲ୍ଲା ସଭାପତି ଜଗନ୍ନାଥ ଶାରକା ଏବଂ ଜିଲ୍ଲାର ଅନେକ କର୍ମୀ ମତ ଦେଇଛନ୍ତି l

ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ୨୦୧୬ରେ, ସେ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଦଳର ପ୍ରାର୍ଥୀ ହୋଇଥିଲେ । ସେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଷ୍ଣୁ ଚରଣ ଦାସଙ୍କ ସହିତ ନିର୍ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ରାଜ୍ୟର ଯୋଜନା ବୋର୍ଡର ଉପାଧ୍ୟକ୍ଷ ଏବଂ ଜଣେ ଶିଳ୍ପପତି ମଧ୍ୟ ଥିଲେ । ୨୩ ଜୁଲାଇ ୧୯୫୩ରେ ଜନ୍ମଗ୍ରହଣ କରିଥିବା ଏନ ଭାସ୍କର ରାଓ ୨୦୦୮ରେ ତାମିଲନାଡୁର ଆଲାଗପ୍ପା ବିଶ୍ୱବିଦ୍ୟାଳୟରୁ ବି.କମ୍ ଡିଗ୍ରୀ ହାସଲ କରିଥିଲେ ।

ଭାସ୍କରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଏବଂ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଦେଖା ଯାଉ ରାୟଗଡା ଜିଲ୍ଲା ଭୋଟର ଏହାକୁ କିଭଳି ଦେଖୁଛନ୍ତି l ଅନେକ ମତ ଦେଲେଣି ଭାସ୍କର ଔଷଧ ବିକଳ ରେ ତାଟିଆ କାମୁଡିବା ରାଜନୀତି କରୁଛନ୍ତି l

Leave A Reply

Your email address will not be published.