ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ବିଜୟ

youtube

ଉମରକୋଟ / ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ, ହାତୀଗାଁ ପଞ୍ଚାୟତ ଅନ୍ତର୍ଗତ ନୁଆଁପାରା ଗ୍ରାମର ଏକ ଗରିବ ପରିବାରର କିଶୋର ଆଜି ଜୀବନର ସବୁଠାରୁ କଠିନ ପରୀକ୍ଷା ଦେଇ ଗତି କରୁଛି। ଫୁଲସିଂ ଗଣ୍ଡ ଓ ଉପଇଁ ଗଣ୍ଡଙ୍କ ୧୪ ବର୍ଷୀୟ ପୁଅ ବିଜୟ ଗଣ୍ଡ, ପରିବାରର ସବୁଠୁ ବଡ଼ ଆଶା ହେଉଥିବା ସତ୍ତେ୍ୱ, ବର୍ଷ ବର୍ଷ ଧରି ବିକଳାଙ୍ଗତା ସହିତ ଯୁଦ୍ଧ କରୁଛି।

ଜନ୍ମ ପରେ ପ୍ରଥମେ ସାଧାରଣ ଶିଶୁମାନଙ୍କ ଭଳି ସେ ବୃଦ୍ଧି ପାଉଥିଲେ। କିନ୍ତୁ, ମାତ୍ର ଦୁଇ ବର୍ଷ ବୟସରେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ, ଏବେ ସେ ପୁରାପୁରି ଅସହାୟ ହୋଇପଡିଛି। ବର୍ତ୍ତମାନ ୧୨ ବର୍ଷ ହେଲାଣି, କିନ୍ତୁ ବିଜୟ ନିଜ ପାଦରେ ଠିଆ ହେବା, ସହଜରେ ବସିବା, ଖେଳିବା କିମ୍ବା ସ୍କୁଲକୁ ଯିବା ଭଳି ସାଧାରଣ କାମକୁ ଟିକେ ହେଲେ କରିପାରୁନି।

ଗରିବ ବାପାମା ତାଙ୍କୁ ସୁସ୍ଥ କରିବା ପାଇଁ ଯଥାସମ୍ଭବ ସମସ୍ତ ଚିକିତ୍ସା କରିଥିଲେ। ଯେତେଦୂର ସେମାନଙ୍କ ପାଖରେ ସାଧ୍ୟ ଥିଲା, ଟଙ୍କା ଖର୍ଚ୍ଚ କରି ଡାକ୍ତରଙ୍କୁ ଦେଖାଇ ଆସୁଥିଲେ। କିନ୍ତୁ, ସମସ୍ତ ଉଦ୍ୟମ ବିଫଳ ହୋଇଗଲା, କାହିଁକି ନା ସବୁ କିଛିର ମୂଳ ଥିଲା ଟଙ୍କା। ବର୍ତ୍ତମାନ ନିରାଶ ହୋଇ, ପରିବାରର ସମସ୍ତେ ନିଜ ଭାଗ୍ୟକୁ ଆଦରି ଘରେ ପୁଅକୁ ଦେଶୀ ଔଷଧ ଦେଇ ସେବା ଶୁଶ୍ରୁଷା କରି ରହିଛନ୍ତି।

ଦେଖିବାକୁ ଗଲେ ବିଜୟଙ୍କ ସମାନ ବୟସର ପିଲାମାନେ ଖେଳକୁଦ କରି, ସ୍କୁଲରେ ପଢ଼ି, ଶୈଶବର ସୁଖ ଉପଭୋଗ କରୁଛନ୍ତି, ହେଲେ ସେହି ବୟସରେ ବିଜୟ ଘର କୋଣରେ ବାଧ୍ୟ ହୋଇ ପଡି ରହିଛି। ଏହି ଦୁର୍ଦ୍ଦଶା ଦେଖି, ପରିବାର ସହ ହାତୀଗାଁ ଗ୍ରାମ ବାସୀମାନେ ବେଶ୍‌ ଚିନ୍ତାତୁର।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯଦି ସରକାରୀ ସ୍ତରରୁ କିଛି ସହାୟତା, ଚିକିତ୍ସା ସୁବିଧା କିମ୍ବା ଆର୍ଥିକ ସମର୍ଥନ ମିଳିଥାନ୍ତା, ତେବେ ବୋଧହୁଏ ବିଜୟଙ୍କ ଜୀବନରେ ଏକ ନୂଆ ଆଶାର ଆଲୋକ ପ୍ରବେଶ କରି ପାରିଥାନ୍ତା।

ଏହି ପରିବାର ସହିତ ସମସ୍ତ ଗ୍ରାମବାସୀଙ୍କ ଦାବୀ ହେଉଛି ଯେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେଇ, ଏହି ପିଲାର ଜୀବନ ସୁଧାରିବା ପାଇଁ ସାହାଯ୍ୟର ହାତ ବଢାଇବା ସହିତ ଚିକିତ୍ସା କରାଇବାର ସୁ-ବ୍ୟବସ୍ଥା କରୁ। ଏପରି କଲେ ହାତୀଗାଁ ଗ୍ରାମବାସୀ ସହ ପରିବାର ଲୋକେ ପ୍ରଶାସନ ପାଖରେ ଚିର ଋଣୀ ହୋଇ ରହିବେ ବୋଲି କହିଛନ୍ତି।

Leave A Reply

Your email address will not be published.