’ଡିଜେ ଗାଡ଼ି ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

youtube

ଭୁବନେଶ୍ୱର: ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି କଠୋର ଆଭିମୂଖ୍ୟ ଗ୍ରହଣ କରିବ ପରିବହନ ବିଭାଗ ।

ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ସର୍କୁଲାର ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି । ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ତାକୁ ଡିଜେ ଯାନ ଭାବେ (ମୋଟର ଯାନ ଆଇନରେ ଡିଜେ ଭ୍ୟାନର କୌଣସି ପ୍ରଚଳିତ ବ୍ୟବସ୍ଥା ନାହିଁ) ପରିବର୍ତ୍ତନ କରି ବେଆଇନ ଭାବେ ବ୍ୟବହାର କରାଯାଉଛି । ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାନଗୁଡିକ ଅସୁବିଧାର ସମ୍ମୁଖୀନ ହେବା ସହ ବେଆଇନ ଉଚ୍ଚତା ଯୋଗୁଁ ସର୍ଟସର୍କିଟ୍ ଓ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି ।

ଏହି ତଥାକଥିତ ଡିଜେ ଭ୍ୟାନର ବ୍ୟବହାର ବହୁଳ ଭାବରେ ହେଉଛି । ତେଣୁ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଞ୍ଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, କୌଣସି ଯାନକୁ ମୂଳ ଢାଞ୍ଚାରୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା 190 (2) ଏବଂ ଧାରା 182 (କ) (4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା 53 ଓ 56 (4)ର ବ୍ୟବହାର କରାଯିବ ।

ବହୁରଙ୍ଗୀ ଏଲଇଡି/ଲେଜର/ନିଅନ୍ ଲାଇଟ୍, ଘୁରୁଥିବା ଡିଜେ ଲାଇଟ୍, କିମ୍ବା AIS-008 ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି । ସେହିଭଳି ମୋଟର ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ମଧ୍ୟ ବେଆଇନ ଅଟେ ।

ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଓ ଅଘଟଣର କାରଣ ସାଜୁଛି । ସେହିଭଳି ଗାଡ଼ିରେ ଡିଜେ ସେଟ୍ ଅପ୍ ପାଇଁ ମନଇଚ୍ଛା ଯନ୍ତ୍ରାଂଶ ପରିବହନ ମଧ୍ୟ ବେଆଇନ ।
ବେଆଇନ ଡିଜେ ଗାଡ଼ି ଯୋଗୁଁ ନିକଟ ଅତୀତରେ ଘଟିଥିବା କିଛି ଅଘଟଣର ଉଦାହରଣ –
ମେ ୨୦୨୫: କଟକରେ ଏକ ଡିଜେ ଭ୍ୟାନରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ଦୁଇ ଯାତ୍ରୀ ଗୁରୁତର ହୋଇଥିଲେ । ସେହିପରି ମାର୍ଚ୍ଚ ୨୦୨୪ରେ ବରଗଡ଼ରେ ଏକ ଡିଜେ ଗାଡ଼ି ଓଲଟିବାରୁ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ। ଡିଜେ ଲାଇଟ୍ ଯୋଗୁଁ ଭାରସାମ୍ୟ ହରାଇଥିଲେ ଡ୍ରାଇଭର । ନଭେମ୍ବର ୨୦୨୩ରେ ଗଞ୍ଜାମରେ ଡିଜେ ଲାଇଟ୍ ଯୋଗୁଁ ଡିଜେ ଗାଡ଼ି ସହ ବାଇକ ଧକ୍କା ହୋଇଥିଲା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକୀୟ ହୋଇପଡ଼ିଛି ।

ବିଭାଗ ପକ୍ଷରୁ ଏହି ଅଭିଯାନକୁ ଅଧିକ ପ୍ରଭାବୀ କରିବାକୁ ରାତି ତଥା ଉତ୍ସବ ଆଦି ସମୟରେ ବିଶେଷ ଧ୍ୟାନ ରଖାଯିବ । ଯେକୌଣସି କାର୍ଯ୍ୟକ୍ରମ ହେଉ, ସର୍ବଦା ନିୟମ ପାଳନ ହେବା ଉଚିତ୍ । ନିୟମ ଉଲ୍ଲଙ୍ଘନ ସର୍ବଦା ଅଘଟଣକୁ ଆମନ୍ତ୍ରଣ କରେ । ଉତ୍ସବରେ ଆନନ୍ଦକୁ ଦୁଃଖରେ ପରିଣତ କରେ । ତେଣୁ ଯେଉଁମାନେ ସାମୂହିକ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଚାଲାଣ କଟାଯିବ ଓ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ବିଭାଗ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ କରାଯିବ । ଲୋକମାନେ ଯେଉଁ ଯାନକୁ ଭଡ଼ାରେ ନେଉଛନ୍ତି ବା ବ୍ୟବହାର କରୁଛନ୍ତି, ସେହି ଯାନ ପଞ୍ଜିକୃତ ଅଛି କି ନାହିଁ, ଏହା ସୁରକ୍ଷା ମାନଦଣ୍ଡକୁ ପାଳନ କରୁଛି କି ନାହିଁ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି ।

ସଡ଼କ ସୁରକ୍ଷା ଏକ ମିଳିତ ପ୍ରୟାସ । ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଡିଜେ ଭ୍ୟାନ୍ ପ୍ରତି ଏହି ଆଭିମୁଖ୍ୟ, ସାମୂହିକ ସ୍ୱାର୍ଥ ତଥା କେବଳ ଓ କେବଳ ସଡ଼କ ସୁରକ୍ଷାକୁ ସଶକ୍ତ କରିବାକୁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଡ଼କ ଦୁର୍ଘଟଣା ହ୍ରାସ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଆଧାରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଆଗାମୀ ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି। ଏଥିପାଇଁ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ା ଯାଇଛି।

Leave A Reply

Your email address will not be published.