
ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି । ଗାଁରେ କେହି ନିଶା କାରବାର କଲେ ତାଙ୍କୁ ଗାଁରୁ ୨୦ବର୍ଷ ବାସନ୍ଦ କରିବା ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ନିଷ୍ପତି ହୋଇଛି । ଗୋହିରାପଦର ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ବେଶ ପ୍ରସଂଶା କରାଯାଇଛି ।
କୋମନା ବ୍ଲକ ଗୋହିରାପଦର ଗାଁରୁ ବେଆଇନ ମଦକାରବାର ଓ ବିଭିନ୍ନ ନିଶା କାରବାରକୁ ସଂପୂର୍ଣ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ବଜ୍ର ଶପଥ ନେଇଛନ୍ତି । ଗାଁର ବିଭିନ୍ନ ଲୋକଙ୍କ ଘର କାନ୍ଥଗୁଡିକରେ ନିଶାମୁକ୍ତ ପାଇଁ ଲିପଲେଟ ପୋଷ୍ଟର ମାରି ଚେତେଇ ଦିଆଯାଇଛି । ଏହି ପୋଷ୍ଟରଗୁଡିକରେ ଗାଁରେ କେହି ମଦ ବିକିଲେ ୫୧ ହଜାର ଟଙ୍କା ଏବଂ ମଦ ପିଇ ଗଣ୍ଡଗୋଳ କଲେ ୧୦ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏଥିସହ ସେମାନଙ୍କୁ ଗାଁରୁ ସଂପୂର୍ଣ ବାସନ୍ଦ ମଧ୍ୟ କରାଯିବ ବୋଲି ଲେଖାଯାଇଛି । ସେହିଭଳି ଗାଁରେ ମଦ ଓ ନିଶା ସାମଗ୍ରୀ ବିକ୍ରି କାରବାର କରୁଥିବା ଲୋକଙ୍କ ସଂପର୍କରେ ସୂଚନା ଦେଲେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ୧୦ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବାକୁ ନିଷ୍ପତି ହୋଇଛି । ଗୋହିରାପଦର ଗାଁରୁ ବେଆଇନ ମଦକାରବାର ଓ ବିଭିନ୍ନ ନିଶା କାରବାରକୁ ସଂପୂର୍ଣ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ବଜ୍ର ଶପଥ ନେଇଛନ୍ତି । ଗୋହିରାପଦର ଗାଁରେ ବେଆଇନ ଭାବେ ଅନେକ ଦେଶୀ ମଦ କୋଠି ଚାଳିଛି । ଗୋହିରାପଦର ଗାଁରେ ଅସାଧୁ ମଦ ବ୍ୟବସାୟୀମାନେ ତରବୋଡ ଦେଶୀ ମଦଭାଟିରୁ ଗୋହିରାପଦର ଗାଁକୁ ଆଣି ଚଢାଦରରେ ବିକ୍ରିକରି ମାଲେମାଲ ହେଉଛନ୍ତି । ଏହି ଦେଶୀ ମଦକୁ ଗାଁର ଛୋଟ ଛୋଟ ସ୍କୁଲ ପିଳାଠାରୁ ନେଇ ଯୁବକ ଓ ବୁଢା ଯାଏଁ ମଦପିଇ ଗାଁରେ ଗଣ୍ଡଗୋଳ କରୁଥିବାରୁ ଗୋହିରାପଦର ଗାଁର ମହିଳାମାନେ ତଥା ଗ୍ରାମବାସୀମାନେ ନିଶାକାରବାରକୁ ସଂପୂର୍ଣ ବନ୍ଦ କରିବା ପାଇଁ ଅଂଟା ଭିଡିଛନ୍ତି । ଏହି ବେଆଇନ ମଦକାରବାରକୁ ରୋକିବା ପାଇଁ ଗୋହିରାପଦର ଗାଁର ସ୍ଥାନୀୟ ଲୋକମାନେ ବାରମ୍ବାର ଅବକାରୀ ବିଭାଗ ତଥା ପୋଲିସ ବିଭାଗକୁ ବାରମ୍ବାର ଲିଖିତ ଭାବରେ ଜଣେଇ ଆସୁଛନ୍ତି । ହେଲେ ଏହି ବେଆଇନ ମଦକାରବାର ଅବାଧରେ ଚାଳିଥିଲେ ହେଁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନେ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାଫଳରେ ଏବେ ଗ୍ରାମବାସୀ ନିଜେ ଗାଁରେ ନିଶା କାରବାରକୁ ସଂପୂର୍ଣ ବନ୍ଦ କରିବା ପାଇଁ ସଂକଳ୍ପ ନେଇଥିବା କହିଛନ୍ତି ।
କୋମନା ବ୍ଲକ ଗୋହିରାପଦର ଗାଁ ସମେତ ତରବୋଡ ଓ ଧରମପୁର ଗାଁରେ ନିଶା କାରବାରକୁ ସଂପୂର୍ଣ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ସଂକଳ୍ପ ନେଇଛନ୍ତି । ଏହି ତିନି ଗାଁରେ ଚୋରାରେ ମଦ,ଗଂଜେଇ ଓ ନିଶା ବଟିକା ଅବାଧରେ ବିକ୍ରି ଚାଳିଥିବାରୁ ଯୁବ ଗୋଷ୍ଠିମାନେ ପଥଭ୍ରଷ୍ଟ ହେଉଛନ୍ତି । ନିଶା କାରବାର ଯୋଗୁଁ ପରିବାରରେ ଗଣ୍ଡଗୋଳ ଓ ଅଶାନ୍ତି ସୃଷ୍ଟି ହେବା ସହ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏଭଳି ସମସ୍ୟାକୁ ଦୂରକରି ସୁସ୍ଥ ସମାଜ ଓ ନିଶାମୁକ୍ତ ଗାଁ ଗଠନ କରିବା ଉଦେ୍ଦଶ୍ୟରେ ଗତକାଲି ଗୋହିରାପଦର ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋହିରାପଦର ଗାଁ ସମେତ ତରବୋଡ ଓ ଧରମପୁର ଗାଁର ଲୋକମାନେ ଉପସ୍ଥିତଥିଲେ । ଗାଁରେ ମଦ,ଗଂଜେଇ ଓ ନିଶା ବଟିକା ବିକ୍ରି ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏଥିସହ ଗାଁର କେହି ବ୍ୟକ୍ତି ନିଶା ବିକ୍ରି କରିବାର ପ୍ରମାଣିତ ହେଲେ ତାଙ୍କୁ ୫୧ହଜାର ଟଙ୍କା ଦଣ୍ଡବିଧାନ ସହ ୨୦ବର୍ଷ ପାଇଁ ଗାଁରୁ ବାସନ୍ଦ କରାଯିବ । ସେହିଭଳି ନିଶା ସେବନ କରି ଗାଁରେ କଳିଝଗଡା କଲେ ୧୦ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିଷ୍ପତି ହୋଇଛି । ଏପରିକି ନିଶା ବେପାରୀଙ୍କ ସଂପର୍କରେ ସୂଚନା ଦେଲେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା ମଧ୍ୟ କରାଯାଇଛି । ଏନେଇ ଗାଁର ବିଭିନ୍ନ ଲୋକଙ୍କ ଘର କାନ୍ଥଗୁଡିକରେ ପୋଷ୍ଟରମାରି ଲୋକଙ୍କୁ ଚେତେଇ ଦିଆଯାଇଛି । ଏହାପରେ ଏବେ ଗାଁରେ ନିଶାକାର ସଂପୂର୍ଣ ବନ୍ଦ ରହିଥିବା ଗ୍ରାମବାସୀ କହିଛନ୍ତି ।
ତେବେ ଗ୍ରାମବାସୀଙ୍କର ଏଭଳି ଅଭିନବ ପ୍ରତିବାଦ ପାଇଁ କିଛିମାତ୍ରାରେ ଅଞ୍ଚଳରେ ନିଶା ସେବନ କମିଯିବ । ଯାହାଫଳରେ ଘରେ ଆଉ ଘରୋଇ ହିଂସା କି କଳିଝଗଡ଼ା ସୃଷ୍ଟି ହେବ ନାହିଁ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।