
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ପ୍ରାୟ ୩ମାସ ହେଲା ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ ।
ଆଜି ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜର୍ଜ ତିର୍କୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ଉପସ୍ଥିତ ସମସ୍ତ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଆଜି ତାଙ୍କ ଗାଁ ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଝୁନମୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ।
ବୀରମିତ୍ରପୁରରୁ ଜର୍ଜ ତିର୍କୀ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୨ଥର, ସ୍ୱାଧୀନ ଭାବେ ଥରେ ଓ ସମତାକ୍ରାନ୍ତି ଦଳରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।