
ଭୁବନେଶ୍ୱର : ଆଜି ବି ବିଧାନସଭା ହୁଲସ୍ତୁଲ । ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ତାତିଲା ଗୃହ । ବିରୋଧୀ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଫଳରେ ଗୃହ ଚାଲିପାରିନଥିଲା । ଅଚଳାବସ୍ଥା ଯୋଗୁ ବିଧାନସଭା ଅଧିବେଶନକୁ ଆଜି ଅପରାହଣ ୪ଟା ଯାଏ ବାଚସ୍ପତି ସୁରମା ପାଢ଼ୀ ମୁଲତବି ରଖିଥିଲେ । ଅପରାହ୍ଣ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ । ଫଳରେ ଗୃହକୁ ସୋମବାର ଯାଏ ମୁଲତବି ରଖିଲେ ବାଚସ୍ପତି ।
ବିଧାନସଭାରେ ସାର ତାତି। ଗୃହ କାର୍ଯ୍ୟ ଆଜି ବି ଅଚଳ। ଗତକାଲି ବିଧାନସଭା ଠପ୍ ହୋଇପଡିଥିବା ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟମାନେ ଗୃହମଧ୍ୟଭାଗକୁ ମାଡି ଆସିଥିଲେ। ହାତରେ ଧରିଥିଲେ ପୋଷ୍ଟର, ବ୍ୟାନର। ସରକାରୀ ବିରୋଧୀ ନାରାବାଜି କରିଥିଲେ। ସରକାରଙ୍କ ଚାଷୀ ମାରଣ ନୀତି ଚଳିବ ନାହିଁ। ଏମିତି ନାରାବାଜିରେ କମ୍ପିଥିଲା ବିଧାନସଭା। ଗୃହରେ ଅଚଳାବସ୍ଥା ଦେଖି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।
ବିଜେଡିର ଯୁକ୍ତି ସାରା ରାଜ୍ୟରେ ୬୦ ଭାଗ ଲୋକେ ଚାଷ ଉପରେ ନିର୍ଭର। ସରକାର କହୁଛନ୍ତି ସାର ମହଜୁଦ ଅଛି। କିନ୍ତୁ ସାର ବସ୍ତାଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ତେଣୁ ବିଧାନସଭାରେ ସବୁ କାର୍ଯ୍ୟକୁ ବାତିଲ କରି ମୋସନ ଆଣି ସାର ଅଭାବ ଉପରେ ଆଲୋଚନା କରିବାକୁ ଅଡିବସିଛି ବିଜେଡି। ସେପଟେ ଗୃହରେ ଅଚଳାବସ୍ଥା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି କଂଗ୍ରେସ। ଅନାସ୍ଥା ଭୟରେ ଗୃହ ଚଳାଇ ଦେଉନାହାନ୍ତି ଅଭିଯୋଗ କରିଛି।
ସେପଟେ ବିଧାନସଭାରେ ବିଜେଡିର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛି ଶାସକ ଦଳ। ଓଡ଼ିଶାର ବିକାଶ ବିଜେଡି ଓ କଂଗ୍ରେସ ଚାହୁଁନାହାନ୍ତି। ବିଧାନସଭାରେ ଆଲୋଚନା ହେଲେ ସମସ୍ୟାର ସମାଧାନ ବାହାରିବ। କିନ୍ତୁ ଆଲୋଚନା ଦୂରେଇ ରହି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି। ଓଡିଶାବାସୀ କେବେ ତାଙ୍କୁ କ୍ଷମା କରିବେ ନାହିଁ। ଚାଷୀଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛି ବିଜେଡି। ସାର କଳାବଜାରୀ ପ୍ରସଙ୍ଗରେ ଗୃହରେ ଆଲୋଚନା ହେଲେ ବିରୋଧୀଙ୍କ ମିଛ କଥା ଫର୍ଦ୍ଦଫାସ ହୋଇଯିବ। ସେଥିପାଇଁ ଭୟରେ ବିଧାନସଭା ଚଲାଇ ଦେଉନାହାନ୍ତି ବୋଲି ବିଜେପି କହିଛି।