ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ X ଆକାଉଣ୍ଟ ହ୍ୟାକ୍

youtube

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ ତାଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ଏବଂ ଉଭୟ ଦେଶର ଲାଇଭ-ଷ୍ଟ୍ରିମିଂ ଫଟୋ ପୋଷ୍ଟ କରିଥିଲେ । ହ୍ୟାକିଂ ପରେ, ଅଧିକାରୀମାନେ ତୁରନ୍ତ ସାଇବର କ୍ରାଇମ୍ ପୋଲିସକୁ ସୂଚିତ କରିଥିଲେ ଏବଂ ଏକ୍ସ ଆକାଉଣ୍ଟକୁ ରିକଭରି କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।

ଭାରତ-ପାକିସ୍ତାନ ଏସିଆ କପର ଦ୍ବିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଏଭଳି କାଣ୍ଡ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲର ତଦାରଖ କରୁଥିବା ଟିମ ତୁରନ୍ତ ହସ୍ତକ୍ଷେପ କରିଥିଲେ । ପ୍ରାୟ ୩୦ ରୁ ୪୫ ମିନିଟ୍ ମଧ୍ୟରେ ଆକାଉଣ୍ଟଟି ରିକଭରି କରାଯାଇଥିଲା ।

ଏପରି ଘଟଣା ସରକାରୀ ଅଧିକାରୀ ଏବଂ ଜନସାଧାରଣ ଉଭୟଙ୍କ ଡିଜିଟାଲ୍ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥାଏ । ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ସରକାରୀ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି । କିଛିଦିନ ତଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ଏକ୍ସ ଆକାଉଣ୍ଟ ହ୍ୟାକ୍ ହେବାର ରିପୋର୍ଟ ଆସିଥିଲା, ଯେଉଁଠାରେ ଅଜବ ପୋଷ୍ଟ ସେୟାର କରାଯାଇଥିଲା ।

ଏହି ଘଟଣା ଏଲୋନ ମସ୍କଙ୍କ ଦ୍ୱାରା ପରିଚାଳିତ ଏକ୍ସର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ଅଧିକାରୀ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ, ସରକାରୀ ଏବଂ ରାଜନୈତିକ ଆକାଉଣ୍ଟଗୁଡ଼ିକର ତଦାରଖ ଏବଂ ସୁରକ୍ଷା ବୃଦ୍ଧି କରିବା ଜରୁରୀ ।

Leave A Reply

Your email address will not be published.