
ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ ।
ମୋଦି କହିଛନ୍ତି, “ଆସନ୍ତାକାଲିରୁ ଶକ୍ତି ଉପାସନାର ପର୍ବ ନବରାତ୍ରୀ ଆରମ୍ଭ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭକାମନା । ନବରାତ୍ରୀର ପ୍ରଥମ ଦିନରେ, ଦେଶ ଏକ ଆତ୍ମନିର୍ଭରଶୀଳ ଭାରତ ଆଡ଼କୁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହିତ, ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ । ଆସନ୍ତାକାଲି ଠାରୁ ଜିଏସଟି ସଞ୍ଚୟ ଉତ୍ସବ ଆରମ୍ଭ ହେଉଛି ।”
ଜିଏସଟି ବଚତ ଉତ୍ସବରେ ଲୋକଙ୍କ ସଂଚୟ ବଢିବ ଏବଂ ଅଧିକ କିଣିପାରିବେ । ଜିଏସଟି ବଚତ ଉତ୍ସବରେ ଦେଶର ମଧ୍ୟମ ବର୍ଗ, ମହିଳା, ଛାତ୍ରଛାତ୍ରୀ, ନିବେଶକୁ ଆକର୍ଷଣ କରିବ । ଜିଏସଟି ସଂସ୍କାରଗୁଡ଼ିକ ପରବର୍ତ୍ତୀ ପିଢ଼ିର ସଂସ୍କାର । ଆମେ ସେଗୁଡ଼ିକୁ ଦେଶର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରିଛୁ । ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ସମାନ ଅଂଶୀଦାର କରିବ ।
ଏହି ଜିଏସଟି ସଂସ୍କାରଗୁଡ଼ିକ “ନାଗରିକ ଦେବୋ ଭବଃ” ର ମନ୍ତ୍ରକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରେ । ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ଏକ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଯିବାକୁ ପଡିବ ।
ନବରାତ୍ରୀର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ନୂତନ ଜିଏସ୍ଟି ହାର ଲାଗୁ ହେବାକୁ ଯାଉଛି । ପୂର୍ବରୁ ଜିଏସ୍ଟିରେ ଚାରୋଟି ସ୍ଲାବ୍ ଥିଲା ୫%, ୧୨%, ୧୮% ଏବଂ ୨୮% । ଜିଏସ୍ଟି ପରିଷଦ ୧୨% ଏବଂ ୨୮% ସ୍ଲାବ୍ ଉଚ୍ଛେଦ କରିଛି ।” ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ପୂର୍ବରୁ ୧୨% ଜିଏସ୍ଟି ଲାଗୁ ହେଉଥିବା ପ୍ରାୟ ୯୯% ସାମଗ୍ରୀ ଏବେ ୫% ଜିଏସ୍ଟି ବର୍ଗରେ ଆସିବ ଏବଂ ପୂର୍ବରୁ ୨୮% ଜିଏସ୍ଟି ଲାଗୁ ହେଉଥିବା ପ୍ରାୟ ୯୦% ସାମଗ୍ରୀ ଏବେ ୧୮% ଜିଏସଟି ବର୍ଗରେ ଆସିବ ।