
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ହେବ ନୂଆ ଆୟୁର୍ବେଦିକ କଲେଜ। ଖର୍ଚ୍ଚ ହେବ ୮୫ କୋଟି ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆୟୁର୍ବେଦ ହେଉଛି ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଏହା ଜୀବନର ଏକ ଧାରା । ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା ।
ଚଳିତବର୍ଷ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର ନିର୍ମାଣ କରାଯିବ ବୋଲି ଏହି ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ୩ଟି ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ନିର୍ମାଣ ଚାଲିଛି । ଆୟୁଷ ଚିକିତ୍ସା ପଦ୍ଧତି ଜରିଆରେ ଅଧିକ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।