
ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କଲା ଜିଲ୍ଲା ନାଗରିକ କମିଟି
ନବରଙ୍ଗପୁର : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ କାର୍ଯ୍ୟରତ “ଶିଶୁ କଲ୍ୟାଣ କମିଟି” ରେ ଆଗାମୀ ୩ ବର୍ଷ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କମିଟି ରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ନିଯୁକ୍ତ ହେବେ । ନବରଙ୍ଗପୁର ଜିଲ୍ଲାର ଆବେଦନକାରୀ ମାନେ ନିଯୁକ୍ତି ନିୟମ ଅନୁଯାୟୀ ଶିକ୍ଷିତ ଓ ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଆବେଦନକାରୀ ଙ୍କୁ ପୂର୍ବରୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି, ସେମାନେ ଅନେକ ସମୟରେ ଏହି ସରକାରୀ ଅନୁଷ୍ଠାନରେ ଉପସ୍ଥିତ ରହୁନାହାନ୍ତି ଓ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରୁନାହାନ୍ତି, ତଥାପି ସରକାରୀ ଦରମା ପାଉଛନ୍ତି ।
ଜୁଭେନାଇଲ୍ ଜଷ୍ଟିସ୍ ( ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୦୦ ର ଧାରା ୨୯ ଅନୁଯାୟୀ ଏବଂ ୨୦୦୬ (ସଂଶୋଧନ) ନିୟମ, ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଓଡ଼ିଶା ନିୟମ, ୨୦୦୨ର ନିୟମ ୨୪ ଓ ୨୦୦୯ (ସଂଶୋଧନ) ନିୟମ ଅନୁଯାୟୀ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ସଂପର୍କରେ ଏପରି କମିଟି ଉପରେ ଦିଆଯାଇଥିବା ଦାୟିତ୍ୱ ତୁଲାଇବା ପାଇଁ ସମୟ ସମୟରେ ଜିଲ୍ଲାମାନଙ୍କରେ ଶିଶୁ କଲ୍ୟାଣ କମିଟି ଗଠନ ହୋଇଥାଏ। କିନ୍ତୁ ନବରଙ୍ଗପୁର ଜିଲ୍ଲାର ଯୋଗ୍ୟ ଆବେଦନକାରୀ ଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଯୋଗୁଁ ଜିଲ୍ଲାର ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନର ଉଦ୍ଧେଶ୍ୟ ବିଫଳ ହେଉଥିବା ସ୍ମାରକପତ୍ର ରେ ଦର୍ଶାଯାଇଛି। ନାବାଳକ ନ୍ୟାୟ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମର ଧାରା -୩୧ ଅନୁଯାୟୀ, ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ଚିକିତ୍ସା, ବିକାଶ ପାଇଁ ଏବଂ ପୁନଃ ଥଇଥାନ ତଥା ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ କମିଟିର ଅନ୍ତିମ ଅଧିକାର ରହିଛି । କିନ୍ତୁ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାର ଆଞ୍ଚଳିକ ଭାଷା ସହିତ ବାହାର ଜିଲ୍ଲାର ନିଯୁକ୍ତ ବ୍ୟକ୍ତି ମାନେ ଅଭିଜ୍ଞ ଓ ଅବଗତ ନଥିବା ଯୋଗୁଁ ସେମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଉପଯୁକ୍ତ ନଥିବା ଉକ୍ତ ସ୍ମାରକପତ୍ର ରେ ଦର୍ଶାଯାଇଛି। ଗୋଟିଏ ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ରେ ଆଗାମୀ ନିଯୁକ୍ତି ପାଇଁ ସମୁଦାୟ ୨୭ ଜଣ ଆବେଦନକାରୀ ଙ୍କ ମଧ୍ୟରୁ କଟକ ଜିଲ୍ଲାର ୨ ଜଣ, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାର ଜଣେ ଲେଖାଏଁ ଓ କୋରାପୁଟ ଜିଲ୍ଲାର ୩ ଜଣ ଆବେଦନ କରିଛନ୍ତି ଏବଂ ନବରଙ୍ଗପୁର ଜିଲ୍ଲାର ୧୮ ଜଣ ଏଥିପାଇଁ ଆବେଦନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ “ମଣ୍ଡେଇ” ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ। ଏହି ନିଯୁକ୍ତି କ୍ଷେତ୍ରରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ଦେବାପାଇଁ ଉକ୍ତ ସ୍ମାରକପତ୍ର ରେ ଅନୁରୋଧ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏ ସମ୍ବନ୍ଧରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଙ୍କୁ ଅବଗତ କରାଯାଇଛି। ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନାଗରିକ କମିଟି ର ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର, ସମ୍ପାଦକ ରାମ ପ୍ରସାଦ ପାତ୍ର, ସହକାରୀ ଆବାହକ ପ୍ରଦୀପ କୁମାର ସାହୁ, ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ଆଇନଜୀବୀ କିଶୋରୀ ପଟ୍ଟନାୟକ, ଶ୍ରୀନିବାସ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ।