
ଉମରକୋଟ: କାହାର ଘର ଆଗରେ ପାଣି ଜମି ରହିଛି ତ ପୁଣି କାହା ଘର ଭିତରେ ଲହଡି ମାରୁଛି ବନ୍ୟା ପାଣି । କିଏ ଘର ଭିତରେ ଜମିଥିବା ପାଣିକୁ ସଫା କରିବାରେ ବ୍ୟସ୍ତ ତ ପୁଣି କିଏ ନିଜର ମାଟି ଘରକୁ ସଜାଡୁଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ପରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଘରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପିଲା ଛୁଆଙ୍କୁ ଧରି ରହିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ କରିବେ ବା କଣ ନିଜ ଘର ଛାଡ଼ି କୁଆଡ଼େ ଯିବେ । ବାଧ୍ୟ ହୋଇ ଘରୁ ପାଣି କାଢ଼ି ରହୁଛନ୍ତି ଲୋକେ । ସାପ ବେଙ୍ଗ ଭୟରେ କାଟୁଛନ୍ତି ଦିନ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳବନ୍ଦୀ ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ତଳି ଅଞ୍ଚଳରେ ଥିବା ଘର ଭିତରେ ପାଣି ପଶିଛି । ଏହାସହ କିଛି ଗାଡ଼ି ପାର୍କିଂ ସ୍ଥାନରେ ପାଣି ପଶି ଗାଡ଼ି ଅଧା ବୁଡ଼ିଯାଇଛି । ଉମରକୋଟ ସହରରେ ଗତକାଲି ରାତିଠାରୁ ଲଘୁଚାପ ପାଇଁ ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ବିଶେଷ କରି ଶିବାଜୀ ନଗର, ଗୁଲିପାଟଣାର ଅକ୍ସଫୋର୍ଡ଼ କଲୋନୀ, ଡିଏନକେରେ ଥିବା ତଳି ଅଞ୍ଚଳମାନଙ୍କର ଘର ଭିତରେ ପାଣି ପଶିବା ଦୃଶ୍ୟ ନଜରକୁ ଆସିଛି । ଲୋକମାନଙ୍କର ଘର ଭିତରେ ପାଣି ପଶିବା ଯୋଗୁ ମୂଲ୍ୟବାନ ଆସବାସ ପତ୍ର ନଷ୍ଟ ହେବା ସହ କିଛି ଦୋକାନ ଘରେ ମଧ୍ୟ ପାଣି ପଶିଛି । ଡିଏନକେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପାଣି ପଶିବା ପଶିଯିବା ଯୋଗୁ ତାଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଏହି ପାଣି ପଶିବା ଘଟଣା ଉମରକୋଟ ସହରରେ ଚଳିତ ବର୍ଷ ଦ୍ୱିତୀୟ ଥର ହୋଇଛି । ଦୁର୍ବଳ ଡ୍ରେନେଜ ବ୍ୟବସ୍ଥାକୁ ଉମରକୋଟ ସହର ବାସିନ୍ଦା ଦାୟୀ କରିଛନ୍ତି ।
ସଠିକ ସମୟରେ ନାଳ ଗୁଡ଼ିକ ସଫା କରାଯାଉ ନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ପାରୁନାହିଁ । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏଣୁ ଉମରକୋଟ ବାସିନ୍ଦା ତୁରନ୍ତ ଉମରକୋଟ ଅଞ୍ଚଳର ଥିବା ଡ୍ରେନେଜଗୁଡ଼ିକର ସୁବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।