ସମ୍ବଲପୁରରେ ୧୮୦ ମି.ମି ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର :  ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ୧୨ ଘଣ୍ଟାରେ ୧୮୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା କାରଣରୁ ଘରେ ବାହାରେ ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ସବୁଠି ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରପୀଡିତ ଲୋକଙ୍କ ପାଇଁ ଗୋଟିଏ ଅସ୍ଥାୟୀ ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି । ସାକ୍ଷୀପଡ଼ାରୁ ଜଗନ୍ନାଥ କଲୋନୀକୁ ସଂଯୋଗ କରୁଥିବା ଅଣ୍ଡରପାସ୍‌ରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗି ରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍ ନଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ସେପଟେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଜି ଆଉ ୪ଟି ଗେଟ୍‍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗେଟ୍‍ ଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଉଛି । ବାମ ପାଶ୍ୱର୍ରୁ ୫ଟି ଏବଂ ଡାହାଣ ପାଶ୍ୱର୍ରୁ ୩ଟି ଗେଟ୍‍ ଖୋଲାଯାଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.