ତେଲନଦୀରେ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

youtube

ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିବା ସମୟରେ ତେଲନଦୀରେ ଫସିଲେ ଦୁଇ ବ୍ୟକ୍ତି । ଆଉ ଏ ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାକାରେ ଥିବା ତେଲନଦୀଠାରେ ହଠାତ୍ ପାଣି ବୃଦ୍ଧି ପାଇବା କାରଣରୁ ସେଠାରେ ଦୁଇଜଣ ବ୍ୟକ୍ତି ଏବଂ ୨୪ଟି ଛେଳି ଫସିଯାଇଥିଲେ । ଘଟଣାରେ ଫସିରହିଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ବାବୁରିଆ ଗାଁର ଜୟଲାଲ ନାଗେଶ ଏବଂ କୁଞ୍ଜବିହାରୀ ମଟିଆ ।

ସେମାନେ ସକାଳ ସମୟରେ ଛେଳି ଚରାଇବା ପାଇଁ ନଦୀର ଅନ୍ୟ ପାର୍ଶ୍ୱକୁ ନେଇଯାଇଥିଲେ । ଅପରାହ୍ନରେ ଛେଳି ଚରାଇ ଫେରିବା ସମୟରେ ନଦୀ ପାର କରୁଥିବା ବେଳେ ହଠାତ୍ ନଦୀରେ ପାଣିର ସ୍ତର ବଢି ଯାଇଥିଲା । ଯେଉଁ କାରଣରୁ ସେମାନେ ଫସିଯାଇଥିଲେ ଏବଂ ନଦୀ ମଝିରେ ଥିବା ଏକ ଢେପ ସ୍ଥାନରେ ଅଟକି ରହିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ଜଣ ବ୍ୟକ୍ତି ଏବଂ ଛେଳିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ଯାଇ ଫସି ରହିଥିବା ୨ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଅଗ୍ନିଶମ ବାହିନୀର କର୍ମଚାରୀ ନାରାୟଣ ସାହୁ, ଅନନ୍ତ ପୋଟେଲ, ଗିରିଧର ଡଣ୍ଡସେନା, ତୁଲସୀରାମ ରାଣା, ରାଜୁ ପ୍ରସାଦ ସାହୁ ଏବଂ ଅନୁଜ କୁମାର ସାହୁ ଉଦ୍ଧାର କାର୍ଯ୍ୟ କରିଥିଲେ । ଯେଉଁଥିପାଇଁ ଅଳ୍ପକେ ବର୍ତ୍ତିଯାଇଛି ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ । ସେହିଭଳି ୨୪ଟି ଛେଳି ମଧ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଯେଉଁଥିପାଇଁ ବେଶ ଖୁସି ଅଛନ୍ତି ଉଦ୍ଧାର ହୋଇଥିବା ଦୁଇ ବ୍ୟକ୍ତି ।

Leave A Reply

Your email address will not be published.