ବର୍ଷାରେ ବେହାଲ କୋଲକାତା, ସର୍ଟସର୍କିଟ ଯୋଗୁଁ ୧୧ ମୃତ

youtube

କୋଲକାତା: ଭୀଷଣ ବର୍ଷାରେ କୋଲକାତା ଠପ୍ । ମାତ୍ର କିଛି ଘଣ୍ଟାର ବର୍ଷା କୋଲକାତା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ଯୋଗୁଁ ବିଦ୍ୟୁତ ସର୍ଟସର୍କିଟ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି ।  ଏବେ ବି ବର୍ଷା ପାଣି ବିଭିନ୍ନ ଅଞ୍ଚଳରେ ଜମି ରହିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାର୍କ ସର୍କସ, ଗରିଆହାଟ, ବେହାଲା ଓ କଲେଜ ଷ୍ଟ୍ରିଟ ଅଞ୍ଚଳ ଏବେ ବି ଜଳମଗ୍ନ ରହିଛି । କୋଲକାତା ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ବର୍ଷା ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି ।

ତେବେ ବର୍ଷା ଯୋଗୁଁ ଡ୍ରେନଗୁଡିକରେ ପାଣି ଭର୍ତ୍ତି ହୋଇଥିବାରୁ ବର୍ଷା ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି । ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । କୋଲକାତା ବିମାନ ବନ୍ଦର ରନୱେ ଜଳମଗ୍ନ ହୋଇଥିବାରୁ ପ୍ରାୟ ୧୦୦ ବିମାନ ବାତିଲ ହୋଇଥିବା ବେଳେ ୫୦ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି ।  ଟ୍ରାକ ବୁଡିବ ଯୋଗୁ ଲୋକାଲ ଟ୍ରେନ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇଛି । ବର୍ଷା ବିପନ୍ନଙ୍କ ସହାୟତା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।  ସହରର ବିଭିନ୍ନ ଅଞ୍ଚଳରୁ ବର୍ଷା ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପାଣିପାଗ ବିଭାଗର ସତର୍କ ସୂଚନା ଲୋକଙ୍କ ଆଶଙ୍କାକୁ ଆହୁରି ବଢାଇ ଦେଇଛି । ଗତ ୩୯ ବର୍ଷରେ ଏଭଳି ବର୍ଷା ହୋଇନଥିବା କୁହାଯାଇଛି ।

ମଙ୍ଗଳବାର ଦିନ ରାତିସାରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଅଧିକ ପ୍ରବଳ ବର୍ଷା କରାଇପାରେ । ଏହା ବ୍ୟତୀତ, ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ବର୍ଷାକୁ ଆହୁରି ତୀବ୍ର କରିପାରେ ।

Leave A Reply

Your email address will not be published.