
ଲଦାଖ : ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି ବିକ୍ଷୋଭକାରୀ । ବିଜେପି ଅଫିସରରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତିକୁ ଦେଖି ସ୍ଥାନୀୟ ପୋଲିସ ପ୍ରଦର୍ଶନ ସ୍ଥାନରେ ଅତିରକ୍ତି ପୋଲିସ ବଳକୁ ନିୟୋଜିତ କରିଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି ।
ବିକ୍ଷୋଭକାରୀ ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୋଲିସ ସହିତ ସଂଘର୍ଷ କରିଥିଲେ । ବିକ୍ଷୋଭକାରୀ କ୍ରୋଧରେ ଲେହର ହିଲ୍ କାଉନସିଲ ବିଲିଡିଂର ପଥରମାଡ଼ କରିଛନ୍ତି । ବିଜେପି ଅଫିସ ସାମ୍ନାରେ ନିଆଁ ଲଗାଛନ୍ତି । ଏକ ସିଆରପିଏଫ ଗାଡ଼ିକୁ ନିଆଁ ଲଗାଇଦେଇଛନ୍ତି । ଘଟଣାସ୍ଥଳରେ ସିଆରପିଏଫ୍ କର୍ମଚାରୀ ଓ ପୋଲିସ ମୁତୟନ ଅଛନ୍ତି ।
ସୂଚନାଯୋଗ୍ୟ, ଜଳବାୟୁ କର୍ମକର୍ତ୍ତା ସୋନମ ୱାଙ୍ଗଚୁକ୍ ଗତ ୧୫ ଦିନ ଧରି ଅନଶନରେ ବସିଛନ୍ତି । ତାଙ୍କ ସହିତ ବସିଥିବା ଦୁଇ ପ୍ରତିବାଦକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଓ ରାଜ୍ୟ ମାନ୍ୟତା ଦାବି କରି ଜାରି ରହିଛି ଆନ୍ଦୋଳନ । ୧୫ ଦିନ ଧରି ଜାରି ରହିଥିବା ଆନ୍ଦୋଳରେ ଦୁଇ ମହିଳା ପ୍ରତିବାଦକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା ।