ନକଲି ଡିଏସପିକୁ ମାଡି ବସିଲା ଅସଲି ପୋଲିସ, ନିଜକୁ ଝାଡ଼ଖଣ୍ଡ ଓ ଆସାମ ପୋଲିସ କହି ହୋଟେଲରେ ରହୁଥିଲା

youtube

ଭଦ୍ରକ  : ହୋଟେଲ ରୁମରେ ଏକଦମ୍ ଷ୍ଟାଇଲ ମାରି ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । ହଠାତ୍ କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ ।

ନିଜକୁ ଝାଡ଼ଖଣ୍ଡ ଏବଂ ଆସାମ ର ପୋଲିସ ଅଫିସର କହି ହୋଟେଲ ରହୁଥିଲା ଜଣେ ନକଲି ପୋଲିସ ଡିଏସପି । ଖବର ପାଇ ମାଡି ବସିଲା ଅସଲି ପୋଲିସ । ଏଭଳି ଏକ ଘଟଣା ଦେଖାଯାଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଅଂଚଳରେ । ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ନଳାଙ୍ଗ ଛକ ନିକଟରେ ଏକ ହୋଟେଲରେ ଭଡା ରେ ରହୁଥିଲେ ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଂଚଳର ରାହୁଲ ସିଂ ରାଣାବତ । ସେ ନିଜକୁ ଝାଡ଼ଖଣ୍ଡ ରାଜ୍ୟର ପୋଲିସ ଡ଼ିଏସପି ବୋଲି ପରିଚୟ ଦେଇ ଆଜିକୁ ପ୍ରାୟ ଏକ ବର୍ଷ ହେବ ରହୁଥିଲେ । ଏବଂ ସେଠାରୁ ସେ ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାକୁ ଯିବା ଆସିବା କରୁଥିଲେ । ତେବେ ଏହି ଖବର ପୋଲିସ ପାଖରେ ପହଂଚି ଥିଲା । ତେଣୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ସେହି ହୋଟେଲ ରୁମରେ ଅଚାନକ ଚଢ଼ାଉ କରିବା ପରେ ସବୁ ତଥ୍ୟ ସାମନାକୁ ଆସିଥିଲା । ତେବେ ପୋଲିସ ଚଢ଼ାଉ ବେଳେ ରାହୁଲ ସିଂ ରାଣାବତଙ୍କ ଠାରୁ ଆସାମ,ଝାଡ଼ଖଣ୍ଡ ରାଜ୍ୟ ପୋଲିସ ପରିଚୟ ପତ୍ର ସହିତ ସେ ସବୁ ରାଜ୍ୟର ପୋଲିସ ଷ୍ଟାର, ବେଲ୍ଟ, ଷ୍ଟାମ୍ପ ଲୋଭଗା, ୟୁନିଫର୍ମ, ଜୋତା ଓ ବେଚ ଆଦି ଏମିତି ୩୮ଟି ସାମଗ୍ରୀ ସହିତ ଗୋଟିଏ ବନ୍ଧୁକ ଏବଂ କାର ଜବତ କରାଯାଇଛି ।

ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବିଭିନ୍ନ ସମୟରେ ନିଜକୁ ପୋଲିସ ଅଫିସର ଏବଂ ରେଲୱେ ପୋଲିସର ପରିଚୟ ଦେଇ ଆସୁଥିଲା । ତାର ପ୍ରମାଣ ମଧ୍ୟ ପୋଲିସ ପାଇବା ପରେ ଶେଷରେ ତାକୁ ହୋଟେଲ ଭିତରୁ ଗିରଫ କରାଯାଇଥିଲା । ତେବେ ଗିରଫ ବ୍ୟକ୍ତି ଜଣଙ୍କ ନକଲି ପୋଲିସ ଅଫିସର ହୋଇ କୌଣସି ଅପରାଧିକ କାର୍ଯ୍ୟ କରିଛି କି ନାହିଁ ସେ ସମ୍ପର୍କ ରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.