ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଉତ୍ତେଜନା; ପ୍ରଧାନ ଶିକ୍ଷକ ଓ ବିଇଓଙ୍କୁ ଘେରାଉ

youtube

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡ଼ିହି ଆଦିବାସୀ ଗ୍ରାମସ୍ଥିତ ବହୁଭାଷୀ କେନ୍ଦ୍ର (ଆଶ୍ରମ ବିଦ୍ୟାଳୟ)ରେ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ କ୍ଷୁବ୍ଧ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ହୋହାଲ୍ଲା କରିବା ସହ ପ୍ରଧାନ ଶିକ୍ଷକ ଏବଂ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଘେରାଉ କରିଥିବା ଜଣାପଡ଼ିଛି।

ମୃତ ଛାତ୍ର ଜଣକ ହେଉଛନ୍ତି କଚରାପାରା-୩ ନମ୍ବର ପଞ୍ଚାୟତର ଅଡଣ୍ଡି ଗ୍ରାମର ଦୟାଳୁ ଗଣ୍ଡଙ୍କ ୧୨ ବର୍ଷୀୟ ପୁଅ ମଙ୍ଗଳସିଂ ଗଣ୍ଡ। ସେ ଗତ କିଛି ଦିନ ହେବ ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ। ବିଦ୍ୟାଳୟରେ ରହି ପଢ଼ୁଥିବା ସମୟରେ ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ବାନ୍ତି ହେବା କାରଣରୁ ଗୁରୁତର ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବା ପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେବା ପରିବର୍ତ୍ତେ, ପ୍ରଧାନ ଶିକ୍ଷକ ଓ ଜଣେ ପିଅନ ମିଶି ଜଣେ କ୍ୱାକ ଡାକ୍ତର ପାଖକୁ ନେଇଥିଲେ। ସେଠାରେ କୌଣସି ଉପଶମ ନ ମିଳିବାରୁ ପରେ ଉଦୟପୁର ଡିଏନକେ ମେଡିକାଲରେ ଚିକିତ୍ସା କରାଇ ପିଲାଟିକୁ ତା’ ବାପାମାଆଙ୍କ ପାଖକୁ ଛାଡ଼ି ଦେଇଥିଲେ।

ଏହା ପରେ ପରିବାର ପକ୍ଷରୁ ମଙ୍ଗଳସିଂଙ୍କୁ ପ୍ରଥମେ ହାଟଭରଣ୍ଡୀ ମେଡିକାଲ ଓ ପରେ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳସିଂ ପ୍ରାଣ ହରାଇଥିଲେ। ପୁଅର ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ଓ ଅସନ୍ତୋଷ ଦେଖାଦେଇଥିଲା। ବହୁ ସଂଖ୍ୟକ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ଏକାଠି ହୋଇ ପ୍ରଧାନ ଶିକ୍ଷକଙ୍କୁ ଗାଳିଗୁଲଜ କରି ହୋହାଲ୍ଲା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ସମୟରେ କ୍ଷୁବ୍ଧ ଗ୍ରାମବାସୀ ତାଙ୍କୁ ମଧ୍ୟ ଏକ କୋଠରୀ ଭିତରେ ତାଲା ପକାଇବାକୁ ଉଦ୍ୟମ କରିଥିଲେ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମେଡିକାଲ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିଦ୍ୟାଳୟର ଖାଦ୍ୟପେୟ ଏବଂ ପରିବେଶର ଯାଞ୍ଚ କରିବା ସହିତ ଉତ୍ତେଜିତ ଜନସାଧାରଣଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା:

  • ବିଦ୍ୟାଳୟରେ ପିଲାଙ୍କ ଖାଦ୍ୟପାନୀୟରେ ଗୁଣଗତ ମାନ ବଜାୟ ରଖାଯାଉନାହିଁ।
  • ପିଲାମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ଅବହେଳା କରାଯାଉଛି।
  • ଏହା ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଏବଂ ବିଇଓ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ।

ସ୍ଥାନୀୟ ଲୋକମାନେ ଏହି ଅବହେଳାର ପରିଣାମସ୍ୱରୂପ ପିଲାଟିର ମୃତ୍ୟୁ ଘଟିଛି ବୋଲି କଡ଼ା ନିନ୍ଦା କରିଛନ୍ତି। ବର୍ତ୍ତମାନ ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave A Reply

Your email address will not be published.