
ଝାରସୁଗୁଡା: ଝାରସୁଗୁଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିେଜେପି ବରିଷ୍ଠ ନେତୃବୃନ୍ଦ ଝାରସୁଗୁଡା ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ଜେଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ’ରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇଁ ଜନସମୁଦ୍ର ପାଲଟିଛି ଝାରସୁଗୁଡା ଅମଲିପାଲି ପଡ଼ିଆ । ଯୁବ ସମାବେଶରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ମଞ୍ଚରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିରଷ୍ଠ ନେତା । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସମ୍ବଲପୁରୀ କପଡ଼ାରେ ବୁଣାଯାଇଥିବା ମା’ ସମଲେଶ୍ବରୀଙ୍କ ସ୍ମୃତି ଚିହ୍ନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ସମାବେସ ମଞ୍ଚରେ ରିମୋଟ ଦବାଇ ଟେଲିକମ୍ୟୁନିକେସନ୍, ରେଳବାଇ ଏବଂ ଉଚ୍ଚଶିକ୍ଷା ଭଳି କ୍ଷେତ୍ରରେ ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି । ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହିତ ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ କରିଛନ୍ତି ।
ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍, ଭୀମ୍ସାର ଓ ଏମ୍କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ, ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ, ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ଭଳି ଯୋଜନା ଅନ୍ତର୍ଭୁକ୍ତ । ଝାରସୁଗୁଡା ସଭାରୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟକୁ ୫୦ କୋଟିରୁ ଅଧିକ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।