
ସୋରୋ: ଗର୍ଭବତୀଙ୍କ ହାତ ଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା ଓ ଅଳଙ୍କାର । ଗର୍ଭବତୀ ମହିଳାଙ୍କୁ ବି ଛାଡିଲେନି ଲୁଟେରା । ଟଙ୍କା, ଗହଣା ତ ନେଲେ ନେଲେ ତା’ପରେ ପୁଣି ଗର୍ଭବତୀଙ୍କୁ ମାଡ଼ ମାରିଲେ । ସୋରୋରେ ମାତିଲେ ଚୋର । ସୁନା ଶଙ୍ଖା ଭାଙ୍ଗି ସୁନା ନେଇଗଲେ । କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ହାତଗୋଡ ବନ୍ଧା ଲୁଟେରାଙ୍କ ଦୌରାତ୍ମ୍ୟ । ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ ବିରିପଡ଼ା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ ହୋଇଥିବା ଜଣାପଡିଛି । ଏହି ଗ୍ରାମର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଛନ୍ତି । ଗତକାଲି ରାତିରେ ଚାରିଜଣ ଦୁର୍ବୃତ୍ତ ପଲିଥିନ ଚିରି ଘର ଭିତରକୁ ପଶିଥିଲେ । ପରେ ଅହଲ୍ୟାଙ୍କ ଗର୍ଭବତୀ ଝିଅକୁ ମାଡ଼ ମାରିବା ସହିତ ପରିବାରର ୩ଜଣଙ୍କୁ ହାତଗୋଡ଼ ବାନ୍ଧିଥିଲେ । ଘରେ ଥିବା ୫୦ ହଜାରରୁ ଅଧିକ ଟଙ୍କାର ଗହଣା ଓ ନଗଦ ୧୪ ହଜାର ଟଙ୍କା ଲୁଟିନେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଥିବା ରଶ୍ମିତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସେହିପରି ଗ୍ରାମର ଚକ୍ରଧର ବେହେରା ଦୁଇମାସ ହେବ ବେଙ୍ଗାଲୁରୁରେ ଥିବା ପୁଅ ପାଖକୁ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କ ଘରର ଝରକା ଭାଙ୍ଗି ସୁନା ଓ ନଗଦ ଟଙ୍କା ଲୁଟିନେଇଥିଲେ । ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ଲୁଟ କରୁଛନ୍ତି ଚୋର । ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ବାରମ୍ବାର ଏଭଳି ଚୋରି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ଉଠିଛି । ଏନେଇ ଖୁବ୍ ଶୀଘ୍ର ତଦନ୍ତ କରି ଦୃର୍ବୁତ୍ତଙ୍କୁ ଧରିବାକୁ ଦାବି କରିଛନ୍ତି ।