ଅପରେଶନ ଅଗ୍ନି: ୪ ଜିଲ୍ଲାରୁ ଜବତ ହେଲା ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ

youtube

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଆରମ୍ଭ କରାଯାଇଥିଲା ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏହି ସମୟ ଅବଧି ମଧ୍ୟରେ ସମଗ୍ର ରାଜ୍ୟରେ ସର୍ବମୋଟ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ, ୧୩୩ ଜଣଙ୍କୁ ଗିରଫ ଏବଂ ୪୫ ନୋଟିସ ଜାରି କରାଯାଇଛି । ଏହା ସହ ପ୍ରାୟ ୮ କୋଟି ୨୪ ଲକ୍ଷ ୬୦ ହଜାର ୭୦୦ ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ରହିଛି ।

ଏହି ଅଭିଯାନରେ ସମଗ୍ର ରାଜ୍ୟରେ ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ପରିମାଣର ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୫ କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ୧୦ଟି ମାମଲା ରୁଜୁ ହୋଇଥିଲା ବେଳେ ୫ ଜଣଙ୍କୁ ଗିରଫ ଏବଂ ୫ ଜଣଙ୍କୁ ନୋଟିସ ଜାରି କରାଯାଇଛି ।

ଏହାପରକୁ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲାରେ । ଏଠାରେ ୨୧,୦୫,୦୦୦ ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୪ ଟି ମାମଲା ରୁଜୁ ସହ ୪ ଜଣଙ୍କୁ ଗିରଫ ଏବଂ ୧୦ ଜଣଙ୍କୁ ନୋଟିସ ଜାରି କରାଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲାରେ ୧୫ ଲକ୍ଷ ୧୬ ହଜାର ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି ଏବଂ ୨୧ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ ୧.୫୦ କୋଟି ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୭ଟି ମାମଲା ରୁଜୁ ସହ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.