
ଉମରକୋଟ/ରାଇଘର : ବିଗତକାଲି ସନ୍ଧ୍ୟା ଆନୁମାନିକ ପ୍ରାୟ ୫.୨୦ମିନିଟ ସମୟରେ ରାଇଘର ସଦର କୋଦଭାଟା ପୁରାଣ ଥାନା ପଛପଟେ ଏକ ଦୁର୍ଭାଗ୍ୟଜନକ ବିଦ୍ୟୁତ୍ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ଲାଇନ ତଳେ ଘର ନିର୍ମାଣ କାମ ସମୟରେ ଲୁହା ରଡ଼ ବିଦ୍ୟୁତ୍ ଲାଇନ ସହ ସଂସ୍ପର୍ଶ ହେବାରୁ ଜଣେ ଶ୍ରମିକର ଘଟଣା ସ୍ଥଳରେ ମୃତ୍ୟୁ ଏବଂ ଅନ୍ୟ ଜଣଙ୍କ ଆହତ ହେବାର ଖବର ମିଳିଛି।
ମୃତକ ବାବୁଲାଲ ଗଣ୍ଡ (୨୨), ସରଗୁଲି ସାଲେଭାଟା ଗ୍ରାମବାସୀ ବୋଲି ଜଣାପଡିଛି। ଆଉ ଜଣେ ଆହତ ବିଶ୍ୱଜିତ ମଣ୍ଡଳ (୨୫), ସରଗୁଲି ଗ୍ରାମର ବୋଲି ସୂଚନା ମିଳିଛି।
ସ୍ଥାନୀୟ ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୫.୨୦ରେ ଗୁରୁସିଂହା ଗ୍ରାମର ରାଜକୁମାର ଲସ୍କାରଙ୍କ କୋଦଭାଟା ସାହିରେ ଥିବା ଘରରେ ଛାତ କାମ ପାଇଁ ଲୁହା ରଡ଼ ଉଠାଇବା ସମୟରେ ଏହା ୧୧ କେଭି ବିଦ୍ୟୁତ୍ ଲାଇନରେ ସଂସ୍ପର୍ଶ ଆସିଥିଲା। ବିଦ୍ୟୁତ୍ ଘାତ ଲାଗି ବାବୁଲାଲ ଗଣ୍ଡ ତତକ୍ଷାଣାତ ଘଟଣା ସ୍ଥଳରେହି ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ରାଇଘର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ କହିବା କଥା, ୧୧ କେଭି ଲାଇନ ତଳେ ଘର କିପରି ତିଆରି ହେଉଥିଲା? ମାଲିକଙ୍କ ପାଖରେ ଇଲେକ୍ଟ୍ରିକଲ କ୍ଳିଅରେନ୍ସ ସର୍ଟିଫିକେଟ୍ ଥିଲା କି? ଯଦି ନଥିଲା, ତେବେ ନିର୍ମାଣ ସମୟରେ ବିଦ୍ୟୁତ୍ ବିଭାଗ କାହିଁକି ଏହାକୁ ଅବହେଳା କରିଲା?
ଘଟଣା ପରେ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକ ମାନେ ଆଚମ୍ଭିତ ଓ ଭୟଭୀତ ହୋଇ ରାଇଘର ଥାନାକୁ ଖବର ଦେଇଥିଲେ। ଥାନାର ଏସ.ଆଇ. ମନୋରଞ୍ଜନ ମିଶ୍ର କାଳବିଳମ୍ବ ନ କରି ପୋଲିସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି, ମୃତଦେହକୁ ଉଦ୍ଧାର କରି ଓ ଆହତଙ୍କ ସହିତ ବାକି ଶ୍ରମିକମାନଙ୍କ ମଧ୍ୟ ହସ୍ପିଟାଲକୁ ପଠାଇଥିଲେ। ଏହା ସହ, କେସ ନଂ ୨୦୭/୨୫ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମଧ୍ୟ ଏସ ଆଇ ମନୋରଞ୍ଜନ ମିଶ୍ର ପ୍ରଦାନ କରିଛନ୍ତି। ପୋଲିସ ସହିତ ଇଲେକ୍ଟ୍ରିକଲ ବିଭାଗ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।
ଏଠି ପ୍ରଶ୍ନ ୧୧ କେଭି ଲାଇନ ତଳେ ଘର ବନାଇବା କାନୁନଗତ ଭାବେ ଅବୈଧ। Electricity Act, 2003 ଓ CEA Safety Regulations ଅନୁସାରେ, ଘର ଏବଂ ବିଦ୍ୟୁତ୍ ଲାଇନ ମଧ୍ୟରେ minimum clearance ରହିବା ଆବଶ୍ୟକ। ସେଥିପାଇଁ ଏହି ଦୁର୍ଘଟଣା ମାନବୀୟ ଅବହେଳାର ପରିଣାମ ବୋଲି ଅଞ୍ଚଳବାସୀଙ୍କ ମତ। ରାଇଘର କୋଦଭାଟା ସାହିରେ ଘଟିଥିବା ଏହି ବିଦ୍ୟୁତ୍ ଦୁର୍ଘଟଣା କେବଳ ଜଣେ ଯୁବକଙ୍କ ପ୍ରାଣ ଯାଇ ନାହାନ୍ତି,ବରଞ୍ଚ ବିଦ୍ୟୁତ୍ ସୁରକ୍ଷା, ନିର୍ମାଣ ନିୟମ ଓ ବିଭାଗୀୟ ନଜରଦାରୀ ଉପରେ ମଧ୍ୟ ଗଭୀର ପ୍ରଶ୍ନ ରାଇଘର ଅଞ୍ଚଳବାସୀ ସହ ବୁଦ୍ଧିଜୀବୀ ଉଠାଇଛନ୍ତି।