
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବର୍ଷା ପାଇଁ ଲୋକେ ତ ଏକରେ ଦୋକାନ ବଜାର କି ବ୍ରିଜ ତଳେ କିଛି ସମୟ ପାଇଁ ଅଟକି ରହି ବର୍ଷା ଛାଡିଲା ପରେ ବାହାରିଥିଲେ କିନ୍ତୁ ସେପଟେ ପୂଜା ପାଇଁ କାଉଁଳିଆ ପାଗ ଦେଖି ଘରୁ ବାହାରି ଆସିଥିଲେ ଲୋକେ । ଯାହାର ଭୟଙ୍କର ପରିଣାମ ରାସ୍ତା ଜାମ୍ ହୋଇଥିଲା । ହଂସପାଳରୁ ଜାମ ଲାଗି ରହିଥିଲେ ବି ପଳାସୁଣୀ ଓଭରବ୍ରିଜ ପାଖରେ ଯଦିଓ ଭିଡ ଟିକେ ଅଧିକ ଥିଲା ମାତ୍ର ରସୁଲଗଡ଼ ଛକରେ ସ୍ଥିତି ପୂରା ବିଗିଡି ଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡିଥିଲା । ନା ଭି-ଟୁ ସାମ୍ନାରେ ଥିବା ଛକରେ ଟ୍ରାଫିକ କର୍ମଚାରୀ ଥିଲେ ନା କେହି ନିୟନ୍ତ୍ରଣ ପାଇଁ ଥିଲା । ବାଘ ଘରେ ମିରିଗ ନାଟ ପରି… ଟାଫିକକୁ ନଖାତିର କରି ଲୋକେ ଯିଏ ଯୁଆଡେ ପାରିଲେ ଗାଡ଼ି ପୂରାଉଥିଲେ ।
କିଏ ଥାନା ପଟୁ ପଳାଶୁଣୀ ଅଭିମୁଖେ ବାହାରୁଥିଲା ତ ପୁଣି କିଏ ଉର୍ମି ହୋଟେଲ ଆଡୁ ରଙ୍ଗ ରୁଟରେ ଭିସାଲ ଆଡେ ମାଡୁଥିଲା । କାର ଚାଳକ ଯଦି ବଡ଼ ଗାଡି ଧରି ଗୋଟେ ଢଙ୍ଗରେ ଯାଉଥିଲେ କିନ୍ତୁ ବାଇକ୍- ସ୍କୁଟି ଧାରି ମନଇଚ୍ଛା ଗାଡ଼ି ଚଳାଉଥିଲେ । ଚାରିଛକରେ କିଛି ସମୟ ଭିତରେ ଏକଦମ୍ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ପଳାଇଗଲା । ଅଧଘଣ୍ଟା ପୂରା ସେହି ଛକରେ ଗାଡ଼ି ଅଟକିବା ପରେ କିଛି ଲୋକ ଆସି ନିଜ ଆଡୁ ଟ୍ରାଫିକ ପରିଚାଳନାର ଭାର ନିଜ କାନ୍ଧକୁ ନେଇ ବ୍ୟାରିକେଡ୍ ଟାଣିଥିଲେ । ପରେ ସ୍ଥିତିରେ ଟିକେ ସୁଧାର ଆସିଥିଲା ।