ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଥର ‘ବାଲ୍ ବାଟିକା’କୁ ମିଳିଲା ଅନୁମୋଦନ

add-all

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ ହେବ। ଏହି ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ମୋଟ ୫୮୬୨.୫୫ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ପୁଞ୍ଜିଗତ ବ୍ୟୟ ୨୫୮୫.୫୨ କୋଟି ଟଙ୍କା ଥିବାବେଳେ ବିଦ୍ୟାଳୟର ପରିଚାଳନା ପାଇଁ ୩୨୭୭.୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।
ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତାର ଏକ ଅଂଶ ସ୍ୱରୂପ ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ ‘ବାଲ୍ ବାଟିକା’ ସହିତ ଅନୁମୋଦନ କରାଯାଇଛି। ଏହି ବାଲ୍ ବାଟିକାରେ ୩ ବର୍ଷର ପ୍ରି-ପ୍ରାଇମେରୀ ବା ପ୍ରାରମ୍ଭିକ ଶିକ୍ଷା ଦିଆଯିବ। ପୂର୍ବରୁ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ ମିଳିଥିବା ପରେ ବର୍ତ୍ତମାନର ଏହି ପ୍ରସ୍ତାବ ଦେଶବ୍ୟାପୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଥିବା ଚାହିଦାକୁ ପୂରଣ କରିବାରେ ଆହୁରି ସହାୟକ ହେବ।

ad-week
Leave A Reply

Your email address will not be published.