ରାୟଗଡ଼ାରେ ଭୂସ୍ଖଳନ: ଭାଙ୍ଗିଲା ରେଳ ଧାରଣା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

youtube

ରାୟଗଡ଼ା: ରାୟଗଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶହରାକୁ ଧୋଇ ଦେଇଛି ଲଗାଣ ବର୍ଷା। ପାହାଡ ଧସି ଟ୍ରେନ ଟ୍ରାକରେ ପଡିବାରୁ ଟ୍ରାକ ଭାଙ୍ଗିଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ ବର୍ଷା ଯୋଗୁଁ ବ୍ରାହ୍ମଣ ସାହି ଦୁର୍ଗାପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବକୁ ସ୍ଥଗିତ ରଖାଯାଇଛି।

ବୁଧବାର ରାତିରୁ ରାୟଗଡା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ରାୟଗଡ଼ା ଜିଲାରେ ୭୫୫.୨ମିମି ବର୍ଷା ରେକର୍ଡ ହୋଇଛି। ଗୁଣପୁରରେ ସର୍ବାଧିକ ୧୬୦.୦ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୮୨.୬ ମିମି ବର୍ଷା ହୋଇଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡାର ଅôଧଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ନିକଟରେ ଲଗାଣ ବର୍ଷାରୁ ଭୁସ୍ଖଳନ ହେବାରୁ ପାହାଡ ଧସି ରେଳ ଧାରଣା ଉପରେ ପଥର ପଡିଥିବା ଦେଖିବାକୁ ମିଳିଛି । ବଡ ବଡ ପଥର ରେଳ ଧାରଣା ଉପରେ ପଡିବାରୁ ଦୁଇ ଖଣ୍ଡ ହୋଇଛି ରେଳ ଧାରଣା। ରେଳ ଧାରଣା ଉପରେ ମାଟି ଅତଡା ଜମା ହୋଇଥିବାରୁ ବିଶାଖାପାଟଣା- ରାୟଗଡା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।‌

ଏହି ସୂଚନା ପାଇ ରାୟଗଡା ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ  ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ବ୍ୟସ୍ତ ବହୁଳ ରେଳ ଲାଇନରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିବାକୁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରବଳ ବର୍ଷାରେ ରେଳ ଧାରଣା ବୁଡ଼ିଯିବାରୁ ରାୟଗଡା-କୋରାପୁଟ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ରେଳ ଡିଭିଜନ ଅନ୍ତର୍ଗତ ଲିଲିଗୁମା, ଭାଲୁମସ୍କା ନିକଟରେ ରେଳ ଧାରଣା ଉପରେ ପାଣି ଜମି ରହିଥିବାରୁ କେଆର ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ହାୱଡା-ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ କେଉଟଗୁଡା ନିକଟରେ ଅଟକି ରହିଛି । ସେଭଳି ରାଉରକେଲା ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ଫଳରେ ରେଳ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଲଗାଣ ବର୍ଷାରୁ ରାୟଗଡା ବ୍ଲକ ପିପଲଗୁଡା ପଞ୍ଚାୟତର ଟିକରପଡା ଗ୍ରାମର କାୟଲା ମାଣ୍ଡାଙ୍ଗିଙ୍କ ଘର ଭୁଷୁଡି ପଡିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ପିପଲଗୁଡା ଅଞ୍ଚଳରେ ଭୁସ୍ଖଳନ ଘଟି ପିଏମଜିଏସୱାଇ ରାସ୍ତା ଉପରେ ମାଟି ଅତଡା ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିଭଳି ଗୁଣପୁର ବ୍ଲକ ଟିଟିମିରି ପଞ୍ଚାୟତରେ ଟିଟିମିରି ଠାରୁ ଭୀମପୁରଗୁଡା ସଂଯୋଗ କରୁଥିବା ମାଟି ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ଫଳରେ ଉଭୟ ଗ୍ରାମକୁ ସଂଯୋଗ ବିଛିନ୍ନ ହୋଇଛି। ବର୍ଷରେ ଗୁଣପୁର ବ୍ଲକ ପୁଟାସିଂ ବାଳିକା ହଷ୍ଟେଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସହ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ବସଷ୍ଟାଣ୍ଡ ନିକଟରେ ଏକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ଦୁଇ ଉପଜିଲାପାଳ, ତହସିଲଦାର ମାନଙ୍କୁ କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ସଂଗ୍ରହ କରିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିବେଦନ କରିଛି ପ୍ରଶାସନ ।

Leave A Reply

Your email address will not be published.