
ରାଜସୁନାଖଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଛାତ୍ର ଛାତ୍ରୀ ହନ୍ତସନ୍ତ
ନୟାଗଡ଼ : ନୟାଗଡ ଜିଲ୍ଲା ରାଜସୁନାଖଳା ମହାବିଦ୍ୟାଳୟରେ ଗତ ତିନିବର୍ଷ ମଧ୍ୟରେ ବିଗତ ବିଜେଡ଼ି ସରକାରଙ୍କ ସମୟରେ ରାଜସୁନାଖଳା କଲେଜ୍ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାୟ ସାଢେ ପାଞ୍ଚ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ମିଳୁଛି। ତନ୍ମଧ୍ୟରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ପ୍ରାକଟିକାଲ୍ ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ପାଇଁ ଏକ ନୁଆକରି ବିଲ୍ଡିଂ ଟିଏ ଯାହାକି ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାରେ ଅତି ନିମ୍ନମାନର ନିର୍ମାଣ କରାଯାଇଛି, ଯାହାକି ରଣପୁର ଆର୍ ଆଣ୍ଡ ବି ବିଭାଗ ଦାୟିତ୍ବରେ ନିର୍ମାଣ ହୋଇଥିବା ସୁଚନା ମିଳିଛି। ଯାହାକୁ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ କରକମଳରେ ଗତ ତା:୦୨/୦୨/୨୦୨୫ରିଖରେ ତତ୍କାଳୀନ ରାଜସୁନାଖଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଅୟୋଜନ କ୍ରମେ ଉଦ୍ଘାଟିତ ହୋଇ ଯାଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ବର୍ଷେ ନ ପୁରୁଣୁ କାନ୍ଥ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପାଣି ଓ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ ଠିକ ରୂପେ ହୋଇ ନଥିବା ବେଳେ ବ୍ୟାଟେରୀ ଓ ଇନଭର୍ଟର କେବଳ ବିନା ସଂଯୋଗରେ ରଖା ଯାଇଥିବା ନିଜେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ସୁଚନା ଦେଇଛନ୍ତି ।
ପ୍ରାକଟିକାଲ୍ ପାଇଁ ଆବଶ୍ୟକୀୟ ସୁବିଧା ଓ ସାମଗ୍ରୀ ଅଭାବରୁ ଉଭୟ ଯୁକ୍ତ ଦୁଇ ଓ ତିନିର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ପ୍ରାକଟିକାଲ୍ ଶିକ୍ଷାରୁ ବଞ୍ଚିତ ହେଉଥିବା ସୁଚନା ମିଳିଛି । ସେପଟେ ବିଗତ ବିଜେଡ଼ି ସରକାରଙ୍କ ଅମଳରେ ଫାଇଭ୍ ଟି ରେ ନବୀକରଣ ଆଳରେ ବେଞ୍ଚ ଓ ହାଇ ଡେସ୍କ ର ଆବଶ୍ୟକତା ନଥିବା ବେଳେ ଜୋର୍ ଜବରଦସ୍ତ ଅତ୍ୟଧିକ ବେଞ୍ଚ ହାଇ ଡେସ୍କ ବ୍ଳକ୍ ପ୍ରଶାସନ ତରଫରୁ କିଣାଯାଇ ମହାବିଦ୍ୟାଳୟକୁ ଦିଆଯାଇ ଥିବାରୁ ପୁରୁଣା ବେଞ୍ଚ ହାଇ ଡେସ୍କ ଗୁଡ଼ିକ କଲେଜର ପ୍ରତେକ କ୍ଲାସରୁମ୍ ବାରଣ୍ଡା, ସାଇକେଲ ଗ୍ୟାରେଜରେ ଅଫିସ୍ ବାରଣ୍ଡାରେ ଏଣେ ତେଣେ ପଡି ରହି କଲେଜ ପରିବର୍ତ୍ତେ କବାଡ଼ିଆର ଭ୍ରମ ସୃଷ୍ଟି କରୁଥିବା ଜଣା ପଡ଼ିଛି । ଇଂରାଜୀ ବିଭାଗ ଓ ସୋସିଓଲୋଜି ବିଭାଗ ବିଲଡିଂରେ ବର୍ଷା ବେଳେ କବାଟ, ଝରକା ଗୁଡ଼ିକ ବିଦ୍ୟୁତ୍ ସରବରାହ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟୁତ୍ ଝଟକା ମାରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ବାଳିକା ମାନଙ୍କ କମନ୍ ରୁମ୍ ଦୁଇଟିରେ ଏବଂ ଶୌଚାଳୟ ଗୃହ ମଧ୍ୟରେ ଭଙ୍ଗା ବେଞ୍ଚ ହାଇ ଡେସ୍କ ଗଦା ହୋଇ ପଡିଥିବା ବେଳେ ଏଥିରେ କୌଣସି ପ୍ୟାନ୍ ବା ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଛାତ୍ରୀ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ଏଣୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତଥା ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଭିଭାବକ ମହଲରେ ଦାବୀ ହେଉଛି ।