ଲଗାଣ ବର୍ଷାରେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

youtube

ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି ।

ସେପଟେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ଜଣ ପର୍ଯ୍ୟଟକଙ୍କୁ ବନ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଓ ପୋଲିସ ସହାୟତାରେ ୩୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମହେନ୍ଦ୍ରଗିରିର ପାଦଦେଶ ବୁରୁଖତରେ ପହଞ୍ଚାଯାଇଛି । ବର୍ତ୍ତମାନ ସେମାନେ ସବୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।

ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ। ତେବେ ଲଘୁଚାପଜନିତ ବର୍ଷା ଯୋଗୁଁ ପର୍ଯ୍ୟଟକ ମାନେ ଫସିଯାଇଥିଲେ । ଭୂସ୍ଖଳନ ଓ ପାଣି ସୁଅ ଯୋଗୁଁ ଫସିଥିଲେ । ସମସ୍ତ ପର୍ଯ୍ୟଟକ କଟକ-ଭୁବନେଶ୍ବର ଅଞ୍ଚଳର ହୋଇଥିବା ସୂଚନା ରହିଛି। ଉଦ୍ଧାର ପରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି।

ସେହିପରି ମୋହନାରେ ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ମାଟି ଅତଡ଼ା, ପଥର ଖଣ୍ଡ। ଲୁହାଗୁଡ଼ିରୁ ବାଲିବାଡ଼ ମଧ୍ୟରେ ମାଟି ଅତଡ଼ା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି। ବର୍ଷା କମି ଯାଇଥିଲେ ବି ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ବଂଶଧାରା ନଦୀ ଫୁଲିବାରେ ଲାଗିଛି । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରଶାସନକୁ ମାର୍ଗଦର୍ଶନ ଦେବେ। ସେ ମହେନ୍ଦ୍ରଗିରି ସମେତ ଭୂସ୍ଖଳନ ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସମ୍ଭାବନା ରହିଛି ।

Leave A Reply

Your email address will not be published.