ବରଗଡ଼ରୁ ଜବତ ହେଲା ଘାତକ କଫ ସିରପ୍‌

youtube

ଭୁବନେଶ୍ବର : ମଧ୍ୟପ୍ରଦେଶ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ପହଞ୍ଚିଥିବା ଘାତକ କୋଲ୍ଡ ରିଫ୍‌କୁ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ। ଏହି କଫ ସିରପ୍‌ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ପୁଡୁଚେରୀକୁ ଗତ ଅଗଷ୍ଟ ମାସରେ ଆସିଥିଲା। ଓଡ଼ିଶାର ବରଗଡ଼କୁ ୧୩୦ଟି କଫ ସିରପ୍‌ ଆସିଥିଲା। ମାତ୍ର ସେଗୁଡ଼ିକ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଔଷଧ ଦୋକାନକୁ ଯୋଗାଣ ହୋଇନଥିଲା ବୋଲି ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଆମେ ସେଗୁଡ଼ିକୁ ଡିଷ୍ଟ୍ରିବ୍ୟୁଟରଙ୍କ ନିକଟରୁ ଜବତ କରିଛୁ। ସେହି ସିରପ୍‌ଗୁଡ଼ିକ ଦୋକାନରେ ପହଞ୍ଚି ନଥିବାରୁ କେହି ସେବନ କରିନାହାନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ଆମେ ସତର୍କତାମୂଳକ ପଦକ୍ଷେପ ନେଇଛୁ।
ଆମର ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଅନୁସନ୍ଧାନ ଚଳାଇଛନ୍ତି। ଏଥିସହ ଆମେ ରାଜ୍ୟର ଔଷଧ ବ୍ୟବସାୟୀ, ବିତରକ ତଥା ଉତ୍ପାଦକଙ୍କ ସହ ଆଲୋଚନା କରିଛୁ। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ପ୍ରତି ଏଲୋପାଥିକ୍‌ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ରହିଥାଏ। ଏହି ସିରପ୍‌ରେ ଡାଇଥେଲ ଗାଏକୋଲ ରହିଥିବାରୁ ସେବନ କରିଥିବା ପିଲାଙ୍କ କ୍ଷେତ୍ରରେ ବିପଦ ଦେଖା ଦେଇଥିଲା। ଦୁଇ ବର୍ଷରୁ କମ୍ ପିଲାଙ୍କ ପାଇଁ କଫ ସିରପ୍‌ ସମ୍ପୂର୍ଣ୍ଣ ବାରଣ କରାଯାଇ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପିଲାଙ୍କୁ ସିରପ୍‌ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ କଫ ସିରପକୁ ନେଇ କୌଣସି ସମସ୍ୟା ଦେଖା ଦେଇ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.