
କଟକ: କଟକ ଦରଘାବଜାରରେ ଉତ୍ତେଜନା । ଶୋଭାଯାତ୍ରାକାରୀଙ୍କୁ ଘଉଡାଇବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଜାରି । ଦରଘାବଜାରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା ବେଳେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଆସନ୍ତାକାଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ପୂର୍ବରୁ ବିଶାଳ ଶୋଭାଯାତ୍ରା କରାଯାଉଛି ।
ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ସେପଟେ ଭାଇଚାରାର ସହରକୁ ଫେରୁଛି ଶାନ୍ତି। ସମସ୍ତ ଉଦ୍ୟମ କରୁଛି କମିଶନରେଟ ପୋଲିସ। କଟକରେ ଶାନ୍ତି ପ୍ରତିଷ୍ଠା କରିବାକୁ ମୋକିମଙ୍କ ଅପିଲ କରିଛନ୍ତି ।
ଦୁର୍ଗାପୂଜା ଭସାଣିରେ ଯେଉଁମାନେ ଏପରି ଘଟଣା ଘଟାଇଛନ୍ତି ସେମାନେ ଅସାମାଜିକ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । ସିସିଟିଭି ଫୁଟେଜକୁ ଆଧାର କରି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି । କଟକରେ ଶାନ୍ତି ଫେରାଇ ଆଣିବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି। ସେହିଭଳି ଓଡିଶା ବୋର୍ଡ ଅଫ ୱାକଫର ପୂର୍ବତନ ଅଧ୍ୟକ୍ଷ ସୟେଦ ଏକ୍ରାମ ହୁସେନ ମଧ୍ୟ ଘଟଣାକୁ କଡ଼ା ନିନ୍ଦା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।