
ଆମେରିକା : ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ମୃତ ଯୁବକ ଜଣକ ହାଇଦ୍ରାବାଦର ୨୭ ବର୍ଷୀୟ ଚନ୍ଦ୍ରଶେଖର ପାଲେ ବୋଲି ଜଣାପଡିଛି । ଆମେରିକାର ଡଲାସରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ସୂଚନାନୁଯାୟୀ, ଭାରତରେ ଡେଣ୍ଟାଲ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ ପରେ ଉଚ୍ଚଶିକ୍ଷା ପାଇଁ ୨୦୨୩ରେ ଆମେରିକା ଯାଇଥିଲେ । ସେ ନର୍ଥ ଟେକ୍ସାସ୍ ବିଶ୍ବବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ଶେଷ କରି ଚାକିରି ଖୋଜୁଥିଲେ । ଡଲାସ୍ ର ଡେଲଟନ୍ ସ୍ଥିତ ଏକ ଗ୍ୟାସ୍ ଷ୍ଟେସନରେ ପାର୍ଟ ଟାଇମ୍ ଚାକିରି କରୁଥିଲେ ମୃତକ ଚନ୍ଦ୍ରଶେଖର । ଜଣେ ଆମେରିକୀୟ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାର କାରଣ ଜଣାପଡିନାହିଁ ।
ଅନ୍ୟପଟେ ଚନ୍ଦ୍ରଶେଖରଙ୍କ ମୃତଦେହ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିଦେବନ କରିଛନ୍ତି ପରିବାର । ସେପଟେ ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ହରିଶ ରାଓ ଓ ବିଆରଏସ୍ ବିଧାୟକ ସୁଧୀର ରେଡ୍ଡୀ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଗତ ମାସ ଡଲାସ୍ ରେ ଭାରତୀୟ ନାଗରିକ ଚନ୍ଦ୍ରମୌଲୀ ନାଗମଲ୍ଲାୟଙ୍କ ମୁଣ୍ଡକାଟି ହତ୍ୟା କରିଥିଲେ ଦୁର୍ବୃତ୍ତ । ଦୁଇମାସ ଭିତରେ ଦୁଇ ଭାରତୀୟଙ୍କ ହତ୍ୟା ପରେ ଆମେରିକାରେ ଛାତ୍ରଙ୍କ ସୁରକ୍ଷା ନେଇ ଆଶଙ୍କା ବଢିଛି । ୨୦୧୮ରୁ ଏପର୍ଯ୍ୟନ୍ତ ବିଦେଶରେ ୮୦୦ ଅଧିକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଆମେରିକାରେ ସର୍ବାଧିକ ୧୪୧ ଜଣ ମୃତ୍ୟୁବରଣ କରିଛନ୍ତି ।