
ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି ।
ଏହାରି ଭିତରେ କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିବେଦନ କରିଛନ୍ତି ।
ସେ କହିଛନ୍ତି, ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି। ଯାହା ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛି । କଟକ ସମ୍ମାନରେ ଆଞ୍ଚ ନ ଆସୁ । ସମସ୍ତେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତୁ । ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ସେପଟେ, କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି । ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।