
ବ୍ରହ୍ମପୁର: ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା । ଘରକୁ ଖୁସି ଆଣିଦେଲେ ଚାଷୀ ପୁଅ । ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଓଡ଼ିଆ ଚାଷୀ ଘର ପୁଅ । ଏ ଯୁବକ ଜଣେ ଏମିତି ପ୍ରତିଭା ଯାହାଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପ୍ରଶଂସିତ କରିଛନ୍ତି । ଜିତେନ୍ଦ୍ରଙ୍କର ଏ ଯାତ୍ରା ଟିକେ କଠିନ ଥିଲା କିନ୍ତୁ ଆଜିର ଏହି ଖୁସି ସବୁ କଷ୍ଟକୁ ଲିଭେଇଦେଇଛି ।
ହଁ ଦର୍ଶକବନ୍ଧୁ, ପଙ୍କରେ ପଦ୍ମ ଯେପରି ଫୁଟେ, ଠିକ ସେହିପରି ଜିତେନ୍ଦ୍ର ଗରିବ କୁଡ଼ିଆରୁ ଫୁଲ ହୋଇ ଫୁଟିଛନ୍ତି । ଆଉ ଏ ପ୍ରତିଭାବାନ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡା ଗାଁର ସୁଦର୍ଶନ ପ୍ରଧାନଙ୍କ ବଡ଼ ପୁଅ ଜିତେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା ପରେ ବାପା, ମାଆ ଙ୍କ ମନରେ ବହୁତ ଖୁସି ଏବଂ ଗ୍ରାମବାସୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ସୁଦର୍ଶନଙ୍କ ପରିବାର ଏକ ଚାଷୀ ପରିବାର, ଜିତେନ୍ଦ୍ର ମାଟ୍ରିକ ପର୍ଯ୍ୟନ୍ତ ଗାଁ ହାଇସ୍କୁଲ,ଯୁକ୍ତ ଦୁଇ ବିଜ୍ଞାନରେ ଖେମୁଣ୍ଡି ମହାବିଦ୍ୟାଳୟ ଏବଂ ଆଇଟିଆଇ ହିଞ୍ଜିଳିକାଟୁରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଭୁବନେଶ୍ୱର NSTIର ଇଲେକ୍ଟ୍ରିସିଆନ ଛାତ୍ର ହୋଇ CTIS ପକ୍ଷରୁ ଅଗଷ୍ଟ ମାସରେ ଅଲ ଇଣ୍ଡିଆ ଟ୍ରେଡ଼ ଟେଷ୍ଟରେ ଇଞ୍ଜିନିଅରିଙ୍ଗ ଟ୍ରେଡ଼ ଟେଷ୍ଟରେ କ୍ୟାଟୋଗରି ପରୀକ୍ଷା ଦେଇଥିଲେ । ଏଥିରେ ପୂର୍ବାଞ୍ଚଳ ଜୋନରେ ଜିତେନ୍ଦ୍ର ଟପ୍ପର ହୋଇ ଜାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ତାଙ୍କର ଏହି ସଫଳତା ପାଇଁ ଶନିବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତେନ୍ଦ୍ର କୁ ପୁରସ୍କୃତ କରିଛନ୍ତି । ଚାଷୀ ପରିବାର କେବେ ବି ସ୍ବପ୍ନରେ ଭାବିନଥିଲେ ତାଙ୍କ ପୁଅ ପାଠ ପଢି ସୁନାମ ଅର୍ଜନ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମ୍ମାନ ପାଇବେ । ଖବର ପାଇବା ପରେ ବାପା, ମାଆ ଖୁସି ପ୍ରକାଶ କରିଛନ୍ତି ।
ତାଙ୍କର ଏହି ସଫଳତାକୁ ନେଇ ଖାଲି ତାଙ୍କ ପରିବାରରେ ଖୁସି ହୋଇନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ମଧ୍ୟ ଜିତେନ୍ଦ୍ରଙ୍କ ସଫଳତାରେ ଖୁସି ପ୍ରକାଶ କରିଛନ୍ତି । ସତରେ ପରିଶ୍ରମର ଫଳ ଆଜି ଜିତେନ୍ଦ୍ରଙ୍କୁ ମିଳିଛି । ତାଙ୍କର ଏହି ସଫଳତା ପାଇଁ ଆମେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ।