
ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ । ଏହି କ୍ଷେପଣାସ୍ତ୍ର ଆସିବା ପରେ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ । କେବଳ ପଦାତିକ ବାହିନୀ ନୁହେଁ, ଏହାକୁ ବାୟୁସେନା ଓ ନୌସେନା ମଧ୍ୟ ଏହାକୁ ବ୍ୟବହାର କରିପାରିବ ।
ଗୁରୁବାର ଦିନ ଏହି ପ୍ରତିରକ୍ଷା ଚୁକ୍ତିନାମା ସମ୍ପର୍କରେ ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଚୁକ୍ତିନାମାକୁ ଭାରତ ସହିତ ୟୁକେର ପ୍ରତିରକ୍ଷା ଶିଳ୍ପର ଗଭୀର ରଣନୈତିକ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି। ମନ୍ତ୍ରଣାଳୟ କହିଛି, “ଏହି ଚୁକ୍ତିନାମା ଅନୁଯାୟୀ, ୟୁକେର ବେଲଫାଷ୍ଟରେ ନିର୍ମିତ କମ୍ ଓଜନ ମଲ୍ଟିରୋଲ୍ ମିସାଇଲ୍ (ଏଲଏମଏମ) ଭାରତୀୟ ସେନାକୁ ଯୋଗାଇ ଦିଆଯିବ, ଯାହା ୟୁକେର ପ୍ରତିରକ୍ଷା ଶିଳ୍ପକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ।”
ମାର୍ଟଲେଟ୍ସ ନାମକ ଏହି କ୍ଷେପଣାସ୍ତ୍ର ଏକ ଶକ୍ତିଶାଳୀ ପ୍ରେସିସନ ଗାଇଡେଡ୍ କ୍ଷେପଣାସ୍ତ୍ର । ରୁଷ ବିରୋଧରେ ବ୍ୟବହାର କରିବାକୁ ୟୁକ୍ରେନକୁ ଏହି କ୍ଷେପଣାସ୍ତ୍ର ପ୍ରଦାନ କରିଛି ବ୍ରିଟେନ ।