କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରୁଥିବାବେଳେ ଚାଲିଗଲା ବୋଲରଙ୍କ ଜୀବନ

youtube

ଉତ୍ତର ପ୍ରଦେଶ : କ୍ରିକେଟ୍ ମ୍ୟାଚରେ ଘଟିଲା ବଡ଼ ଅଘଟଣ । ମ୍ୟାଚ୍ ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ । ଶେଷ ବଲ୍ ବୋଲିଂ କଲେ ହଠାତ୍ ପଡ଼ିଗଲେ । ସବୁଦିନ ପାଇଁ ଦୁନିଆ ଛାଡ଼ି ଦେଲେ ବୋଲର । ଉତ୍ତର ପ୍ରଦେଶର ମୋରାଦାବାଦ ରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବିଲାରିର ଚିନି କଳ ପଡ଼ିଆରେ ଖେଳା ଯାଉଥିଲା ଏକ ମ୍ୟାଚ୍ । ଯାହା ଉତ୍ତର ପ୍ରଦେଶ ଭେଟେରାନ୍ସ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଆୟୋଜନ କରାଯାଇଥିଲା । ତେବେ ମନୋରଞ୍ଜନ ଓ ଖୁସି ମଜା ପାଇଁ ଆୟୋଜନ ହୋଇଥିବା ଏହି ମ୍ୟାଚରେ ଖେଳିଗଲା ଦୁଃଖର ଛାୟା ।

ଜଣେ ଖେଳାଳି ପଡ଼ିଆ ଭିତରେ ହିଁ ମୃତ୍ୟୁ ବରଣ କଲେ । ତାଙ୍କ ବିୟୋଗରେ ଖେଳି ଯାଇଛି ଶୋକରେ ବାତାବରଣ । ସୂଚନା ଅନୁଯାୟୀ, ରବିବାର ଖେଳା ଯାଇଥିବା ଏହି ଟି୨୦ ମ୍ୟାଚ୍ରେ ମୋରାଦାବାଦ ଏବଂ ସମ୍ଭଲ ଦଳ ପରସ୍ପରର ମୁହାଁମୁହିଁ ହୋଇଥିଲେ । ପ୍ରଥମେ ମୋରାଦାବାଦ ବ୍ୟାଟିଂ କରିଥିଲା । ସମ୍ଭଲ ଟିମ୍ ମୋରାଦାବାଦ ଟାର୍ଗେଟର ପିଛା କରୁଥିଲା । ଜିତିବା ପାଇଁ ଶେଷ ଚାରି ବଲ୍ରୁ ୧୪ ରନ୍ ଦରକାର ଥିଲା । ଏତିକି ବେଳେ ମୋରାଦାବାଦର ଦ୍ରୁତ ବୋଲର ଅହମର ଖାନ ତାଙ୍କ ବାମହାତୀ ସ୍ପିନ୍ ଦ୍ବାରା ଏକ ଚମତ୍କାର ଓଭର ପକାଇ ଥିଲେ ।

ଆଉ ବଢ଼ିଆ ବୋଲିଂ ଦ୍ବାରା ତାଙ୍କ ଦଳକୁ ୧୧ ରନ୍ର ବିଜୟୀ କରାଇଥିଲେ । କିନ୍ତୁ ମ୍ୟାଚର ଶେଷ ବଲ୍ ପକାଇବା ସମୟରେ ହଠାତ୍ ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା । ତେବେ ଦଳ ବିଜୟୀ ହୋଇଥିବାରୁ ସେ ଖୁସିରେ ଉପରକୁ ହାତ ଉଠାଇ ଥିଲେ ଆଉ ସଙ୍ଗେ ସଙ୍ଗେ ପଡିଆରେ ଟଳି ପଡ଼ି ଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ତୁରନ୍ତ ପଡ଼ିଆରେ ତାଙ୍କୁ CPR ଦେବା ଆରମ୍ଭ କରିଥିଲେ । ଆମ୍ବୁଲାନ୍ସରେ ଅହମରଙ୍କୁ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇ ସାରିଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ମ୍ୟାଚ୍ ଜିତିବାର ଖୁସି ହଠାତ ଶୋକରେ ପରିଣତ ହେଲା । …ସମସ୍ତେ ଆଶ୍ଚର୍ଯୟ କି ଏଭଳି ଜଣେ ସୁସ୍ଥ ଲୋକ ଖେଳୁ ଖେଳୁ ହଠାତ୍ କେମିତି ମୃତ୍ୟୁବରଣ କଲେ । ଯାହା ସାଥୀ ଖେଳାଳି ଏବଂ ଦର୍ଶକମାନଙ୍କୁ ସ୍ତବଧ କରିଦେଇଥିଲା । ଅହମରଙ୍କ ପରଲୋକରେ ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ଭେଟେରାନ୍ ସ୍ପିନର ଭାବେ ଅହମର ବେଶ୍ ଜଣାଶୁଣା । ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପୀୟୁଷ ଚାୱାଲାଙ୍କ ସହ ଖେଳିଛନ୍ତି ।

ମୋରାଦାବାଦର ଏକତାନଗରରେ ସେ ରହୁଥିଲେ ଏବଂ ଆଞ୍ଚଳିକ ମ୍ୟାଚରେ ଚମତ୍କାର ବୋଲିଂ ପାଇଁ ଦୀର୍ଘ ଦିନ ହେଲା ବେଶ୍ ଲୋକପ୍ରିୟ ଥିଲେ । ତାଙ୍କ ବିୟୋଗରେ ସାଥୀ ଖେଳାଳି ଏବଂ ଅନ୍ୟମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆହମରଙ୍କୁ ହୃଦଘାତ ହୋଇଥିବା କୁହାଯାଉଛି ।…ପୂର୍ବରୁ ମଧ୍ୟ ଅନେକ ସମୟରେ ଖେଳ ପଡ଼ିଆ ଭିତରେ ଏଭଳି ମୃତ୍ୟୁ ଦେଖିବାକୁ ମିଳିଛି । ତେବେ ପୋଷ୍ଟମର୍ଟମ ପରେ ଏ ନେଇ ସଠିକ୍ ତଥ୍ୟ ଜଣାପଡ଼ିବ ।…..ସତରେ ମୃତ୍ୟୁ ନିଶ୍ଚିତ ହେଲେ ତା ଆସିବା ସମୟ ସମ୍ପୂର୍ଣ୍ଣ ଅନିଶ୍ଚିତ।…

Leave A Reply

Your email address will not be published.