ପେସା ମୋବିଲାଇଜରଙ୍କ ଦାବି, ଉଚିତ ପାରିଶ୍ରମିକ ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପେସା ଗ୍ରାମସଭା ମୋବିଲାଇଜର ସଦସ୍ୟମାନେ ନିଜର ବିଭିନ୍ନ ଦାବି ନେଇ ଆଜି ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ଜୁନ୍ ୧୬, ୨୦୨୫ ରେ ସେମାନେ ଦରମା ବୃଦ୍ଧି, ସରକାରୀ ମାନ୍ୟତା, କାର୍ଯ୍ୟସୂଚୀ, ପେନ୍‌ସନ୍, ଇପିଏଫ୍ ସହିତ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜାଣିବା ଏବଂ ସରକାର କେଉଁ ପଦକ୍ଷେପ ନେଇଛନ୍ତି, ତାହା ବୁଝିବା ପାଇଁ ସେମାନେ ଆଜି ପୁଣିଥରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ପେସା ଗ୍ରାମସଭା ମୋବିଲାଇଜରମାନେ ଗ୍ରାମସଭାଗୁଡ଼ିକରେ ମହିଳାମାନଙ୍କ ଅଂଶଗ୍ରହଣ, ପେନ୍‌ସନ୍ ପ୍ରଦାନ, ରାସନ କାର୍ଡରେ ନାମ ସଂଯୋଗୀକରଣ ଏବଂ ସରକାରଙ୍କ ପଞ୍ଚାୟତ ସ୍ତରୀୟ ସମସ୍ତ ସର୍ଭେ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ସଫଳ ରୂପାୟନରେ ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ।

ତେବେ, ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ଏହି ମୋବିଲାଇଜରମାନଙ୍କୁ ମାସିକ ମାତ୍ର ୧୬୩୨ ଟଙ୍କା ପାରିଶ୍ରମିକ ବା ଦୈନିକ ୫୪ ଟଙ୍କା ୪୦ ପଇସା ପ୍ରଦାନ କରାଯାଉଛି। ଆଜିର ମହଙ୍ଗା ଯୁଗରେ ଏତିକି କମ୍ ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ବୋଲି ସେମାନେ ଅଭିଯୋଗ କରିଛନ୍ତି। ନିଜର ଏହି ଦୁଃଖ ଓ ପରିତାପର ବିଷୟକୁ ନେଇ ସେମାନେ ଆଜି ପୁଣିଥରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ କାର୍ଯ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିବେଦନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ ପେସା ମୋବିଲାଇଜରମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିଥିଲେ। ସେ ତୁରନ୍ତ ଏହି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଲିଖିତ ଆଦେଶ ପ୍ରଦାନ କରିଛନ୍ତି। ଏହାଦ୍ୱାରା ମୋବିଲାଇଜରମାନଙ୍କ ସମସ୍ୟାର ସମାଧାନ ଦିଗରେ କିଛି ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.