
ଭବାନୀପାଟଣା : ବାପାଙ୍କଠୁ ୩୫ ଲକ୍ଷ ଟଙ୍କା ଆଦାୟ ପାଇଁ ଧରାପଡ଼ିଲା ପୁଅର କାରସାଦି । ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୋଲିସ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରପ୍ରା ରୋଡରେ ।
ସୂଚନା ଅନୁସାରେ ରପ୍ରା ରୋଡର ଜାଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଦିନେଶଙ୍କ କାର ଭିତରେ ସେ ଏହି ଧମକପୂର୍ଣ୍ଣ ଚିଠି ରଖିଥିଲା । ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏନେଇ ପରିବାର ଭୟଭୀତ ହେଇ ତୁରନ୍ତ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତରେ ଦିନେଶଙ୍କ ପୁଅ ଅଙ୍କୁଶ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।