ଗୁରୁକୁଳ ଶିକ୍ଷାନୁଷ୍ଠାନ ନାଁରେ ଜମି ହଡ଼ପର ଚକ୍ରାନ୍ତ : ବଡ଼ ଡିଲ୍ ପଛର ଅଦୃଶ୍ୟ ଶକ୍ତି କିଏ ?

youtube

୯୯ ବର୍ଷୀୟା ଲିଜ ନେବାକୁ ଆସିକା ରେ ୨୪ ତାରିଖ ଦିନ ତିଥି ନିର୍ଦ୍ଧାରିତ ହୋଇଛି…..!

ଭୁବନେଶ୍ବର :  ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହିଥିବା ଆସିକା ବହୁମୁଖୀ ସମବାୟ ସମିତି (ACMPCS) ଏବେ ଜମି ହଡ଼ପକୁ ନେଇ ସାଙ୍ଘାତିକ ବିବାଦରେ ଛନ୍ଦି ହୋଇଛି। ସମିତିର ଅଧୀନରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜମି ମାଫିଆମାନେ ଅନ୍ୟ ଉପାୟରେ ହାତେଇବାକୁ ପ୍ରୟାସ କରୁଥିବା ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଏହି ବଡ଼ ଡିଲ୍ ପଛରେ ଥିବା ଅଦୃଶ୍ୟ ଶକ୍ତି କିଏ, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ରହ୍ମପୁର ଗୁଡ୍ସ ସେଡ୍ ବା ଚାରି ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ପ୍ରାୟ ୨ ଏକର ୬୪୭ ଡିସିମିଲି ଜମିକୁ ଗୁରୁକୁଳ ଶିକ୍ଷାନୁଷ୍ଠାନ ନାମରେ ୩୦ ବର୍ଷ ପାଇଁ ଲିଜ୍ ସୂତ୍ରରେ ମାସିକ ମାତ୍ର ୨୫ ହଜାର ଟଙ୍କାରେ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଜମିକୁ ୨୦୧୭ ମେ ୧୭ ତାରିଖରେ ଲିଜ୍ ଦିଆଯାଇଥିଲା ଏବଂ ଚୁକ୍ତିନାମା ଅନୁଯାୟୀ, ଏଗ୍ରିମେଣ୍ଟ ହେବାର ୧୫ ଦିନ ମଧ୍ୟରେ ଦେଢ଼ କୋଟି ଟଙ୍କା ଜମା କରିବାକୁ ପଡ଼ିବ, ନଚେତ୍ ଏଗ୍ରିମେଣ୍ଟ ରଦ୍ଦ ହେବ ବୋଲି ଉଲ୍ଲେଖ ରହିଥିଲା। ଆଶ୍ଚର୍ଯ୍ୟର କଥା ଯେ, ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ଦେଢ଼ କୋଟି ଟଙ୍କା ଜମା ହୋଇନଥିବା ଚର୍ଚ୍ଚା ହେଉଛି। ଏପରିକି, ଶିକ୍ଷାନୁଷ୍ଠାନ ୨ ଏକର ୬୪୭ ଡିସିମିଲି ଜମି ଲିଜ୍ ନେଇଥିଲେ ମଧ୍ୟ, ସେଠାରେ ଥିବା ଆଉ ଦୁଇ ଏକର ସମେତ ମୋଟ ଚାରି ଏକର ଜମିକୁ ବ୍ୟବହାର ବା କବ୍ଜା କରିଥିବା ନେଇ ଆଲୋଚନା ହେଉଛି।

ଶିକ୍ଷାନୁଷ୍ଠାନ ନାଁରେ ବ୍ୟବସାୟ ଓ ଉପ-ଲିଜ୍:

ଅଭିଯୋଗ ହେଉଛି ଯେ, ଶିକ୍ଷାନୁଷ୍ଠାନ ନାମରେ ଜମି ଲିଜ୍ ନେବା ପରେ, ସେଠାରେ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟୀମାନଙ୍କୁ ଉପ-ଲିଜ୍ ସୂତ୍ରରେ ଭଡ଼ାରେ ଦିଆଯାଉଛି ଏବଂ ମାସିକ ହଜାର ହଜାର ଟଙ୍କା ଆଦାୟ କରାଯାଉଛି। ଶିକ୍ଷାନୁଷ୍ଠାନ ପାଇଁ ଲିଜ୍ ନିଆଯାଇଥିବା ଜମିରେ ବ୍ୟବସାୟିକ କାର୍ଯ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସ୍ପଷ୍ଟ ଭାବରେ ଲିଜ୍ ଚୁକ୍ତିନାମାର ଖିଲାପ କରୁଛି।

୯୯ ବର୍ଷିଆ ଲିଜ୍ ପାଇଁ ନୂଆ ଚକ୍ରାନ୍ତ:

ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ, ପୂର୍ବରୁ ୩୦ ବର୍ଷ ପାଇଁ ଲିଜ୍‌ରେ ନିଆଯାଇଥିବା ଏହି ଜମି ନିକଟରେ ଥିବା ବଳକା ଜମିକୁ “ଖେଳ ପଡ଼ିଆ ପାଇଁ ଆବଶ୍ୟକତା ଅଛି” ଦର୍ଶାଇ ଶାଗମାଛ ଦରରେ ୯୯ ବର୍ଷ ପାଇଁ ଲିଜ୍ ନେବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି କୋଟି କୋଟି ଟଙ୍କାର ସମ୍ପତ୍ତିକୁ ହାତେଇବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅନ୍ଧାରରେ ରଖି ଫାଇଲକୁ ଭୁବନେଶ୍ୱର ପଠାଇ କାଗଜପତ୍ର ଠିକ୍ ଠାକ୍ ଦର୍ଶାଇବାକୁ ପ୍ରୟାସ ଚାଲିଥିବା ଅଭିଯୋଗ ହେଉଛି। ୯୯ ବର୍ଷ ପାଇଁ ଲିଜ୍ ଦେବା ସକାଶେ ଆସନ୍ତା ୨୪ ତାରିଖ ଦିନ ତିଥି ନିର୍ଦ୍ଧାରିତ କରିବା ପାଇଁ ଏବେ ଲେଖାଛିଡ଼ା ଚାଲିଥିବା କଥା ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି।

ଅଦୃଶ୍ୟ ଶକ୍ତି ଓ ବଡ଼ ଡିଲ୍ :

ପୂର୍ବରୁ ଦେଢ଼ କୋଟି ଟଙ୍କା ବକେୟା ଥାଇ ଏବଂ ଚୁକ୍ତିନାମାର ଖିଲାପ ହୋଇଥିବା ସତ୍ତ୍ୱେ ପୁଣି ଏହି ଅନୁଷ୍ଠାନକୁ ୯୯ ବର୍ଷ ପାଇଁ ଜମି ଲିଜ୍ ଦେବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି, ତାହାକୁ ନେଇ ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଲିଜ୍ ପଛରେ ଯେଉଁ ବଡ଼ ଧରଣର ଡିଲ୍ ହେଉଛି, ତାହାର ଖୋଳତାଡ଼ ହେଲେ, ନବୀନଙ୍କ ଫଟୋ ଓ ମୋହନଙ୍କ ଫଟୋ ସହିତ ପୋଜ୍ ଦେଉଥିବା କିଛି ବ୍ୟକ୍ତିବିଶେଷଙ୍କର ପ୍ରକୃତ ମୁଖା ଖୋଲିବ ବୋଲି ଆଲୋଚନା ହେଉଛି।

ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି:

ସମବାୟ ପ୍ରେମୀମାନେ ଏହି ୯୯ ବର୍ଷିଆ ଲିଜ୍ ଚକ୍ରାନ୍ତକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ସେମାନେ ଗଣଶିକ୍ଷା ମନ୍ତ୍ରୀ ଓ ସମବାୟ ମନ୍ତ୍ରୀଙ୍କୁ ଏହି ଘଟଣାର ସରଜମିନ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ଯେଉଁ ଶାଗମାଛ ଦରରେ ଲିଜ୍ ହୋଇଥିବା ଅଭିଯୋଗ ଓ ଚକ୍ରାନ୍ତ ସମ୍ପର୍କରେ ତଦନ୍ତ କରାଗଲେ ପର୍ଦା ପଛରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଖେଳର ଗୁମର ଖୋଲିବ ବୋଲି ସେମାନେ କହିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave A Reply

Your email address will not be published.