ସବୁଠୁ ଶକ୍ତିଶାଳୀ ସିଙ୍ଗାପୁର ପାସପୋର୍ଟ : ୮୫ତମ ସ୍ଥାନରେ ଭାରତ

youtube

ଲଣ୍ଡନ: ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି। ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି। ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ ୧୯୩ ରାଷ୍ଟ୍ରକୁ ଗସ୍ତ କରିପାରିବେ ବୋଲି ଜଣାପଡିଛି। ସିଙ୍ଗାପୁର ପଛକୁ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦେଶର ପାସପୋର୍ଟଧାରୀ ବିନା ଭିସାରେ ଯଥାକ୍ରମେ ୧୯୦ ଓ ୧୮୯ ରାଷ୍ଟ୍ର ଯାଇପାରିବେ ବୋଲି କୁହାଯାଇଛି। ଗତବର୍ଷ ତୁଳନାରେ ଭାରତ ଏଥର ପାଞ୍ଚଟି ପାହ୍ୟା ତଳକୁ ଖସି ୮୫ତମ ସ୍ଥାନ ଅଧିକାର କରିଛି। ଭାରତୀୟ ପାସପୋର୍ଟଧାରୀ ବିନା ଭିସାରେ ୫୭ଟି ଦେଶ ଗସ୍ତ କରିପାରିବେ। ଗତବର୍ଷ ଭାରତ ୮୦ତମ ସ୍ଥାନରେ ଥିବାବେଳେ ପାସପୋର୍ଟଧାରୀଙ୍କୁ ୬୨ଟି ଦେଶ ବୁଲିବାର ସୁଯୋଗ ମିଳିପାରିଥିଲା।

ଅପରପକ୍ଷରେ ଜର୍ମାନୀ, ଇଟାଲୀ, ଲକ୍‌ଜେମବର୍ଗ, ସ୍ପେନ ଓ ସ୍ବିଜରଲାଣ୍ଡ ମିଳିତଭାବେ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ଦେଶର ପାସପୋର୍ଟଧାରୀଙ୍କୁ ବିନ ଭିସାରେ ୧୮୮ ରାଷ୍ଟ୍ର ଗସ୍ତ କରିବାର ସୁବିଧା ଉପଲବ୍ଧ ହେବ। ସେହିପରି ପଞ୍ଚମ ସ୍ଥାନରେ ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଆୟରଲାଣ୍ଡ ଓ ନେଦରଲାଣ୍ଡ୍‌ସ ମିଳିତ ଭାବେ ରହିଛନ୍ତି।

ଏହି ପାସପୋର୍ଟଧାରୀମାନେ ବିନା ଭିସାରେ ୧୮୭ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇପାରିବେ। ଷଷ୍ଠ ସ୍ଥାନରେ ହଙ୍ଗେରୀ, ନ୍ୟୁଜିଲାଣ୍ଡ, ନରୱେ, ପର୍ତ୍ତୁଗାଲ ଓ ସ୍ବିଡେନ ମିଳିତଭାବେ ରହିଛନ୍ତି। ଏହି ପାସପୋର୍ଟଧାରୀ ବିନା ଭିସାରେ ୧୮୬ ରାଷ୍ଟ୍ର ଯାଇପାରିବେ। ଅଷ୍ଟ୍ରେଲିଆ, ଚେକ୍‌ ଗଣତନ୍ତ୍ର, ମାଲଟା ଓ ପୋଲାଣ୍ଡ ମିଳିତଭାବେ ୭ମ ସ୍ଥାନରେ ରହିଥିବାବେଳେ ଏମାନଙ୍କୁ ୧୮୫ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ମିଳିବ। କ୍ରୋଏସିଆ, ଏଷ୍ଟୋନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓ ବ୍ରିଟେନ ମିଳିତଭାବେ ୮ମ ସ୍ଥାନରେ ରହିଛନ୍ତି। କାନାଡା ୯ମ ସ୍ଥାନରେ ଥିବାବେଳେ ଲାଟଭିଆ ଓ ଲିଚେସଷ୍ଟିନ୍‌ ଯୁଗ୍ମଭାବେ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଏଭଳି ପାସପୋର୍ଟଧାରୀ ୧୮୨ ରାଷ୍ଟ୍ରକୁ ବିନା ଭିସାରେ ଗସ୍ତ କରିପାରିବେ। ଅପରପକ୍ଷରେ ଆମେରିକା ପ୍ରଥମ ଥର ଶ୍ରେଷ୍ଠ ୧୦ରୁ ବାଦ ପଡିଛି। ଗତବର୍ଷ ଆମେରିକା ଏହି ତାଲିକାରେ ୭ମ ସ୍ଥାନରେ ଥିବାବେଳେ ଚଳିତବର୍ଷ ୧୨ଶ ସ୍ଥାନକୁ ଖସିଛି। ଆମେରିକା ପାସପୋର୍ଟଧାରୀ ବିନା ଭିସାରେ ୧୮୦ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇବେ।

ଭାରତର ପଡୋଶୀ ରାଷ୍ଟ୍ର ମଧ୍ୟରେ ଶ୍ରୀଲଙ୍କା ୯୮, ଭୁଟାନ ୯୨, ବାଂଲାଦେଶ ୧୦୦, ନେପାଳ ୧୦୧ ଓ ପାକିସ୍ତାନ ୧୦୩ତମ ସ୍ଥାନରେ ରହିଛନ୍ତି। ଆଫ୍‌ଗାନିସ୍ତାନ ପାସପୋର୍ଟ ବିଶ୍ବର ସବୁଠୁ ଦୁର୍ବଳ ପାସପୋର୍ଟ ବିବେଚିତ ହୋଇଥିବାବେଳେ ଏହା ପଛକୁ ସିରିୟା ଓ ଇରାକ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.