ନିୟମଗିରିରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ : ପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ଦିଗରେ ଏକ ଅନନ୍ୟ ପ୍ରୟାସ

youtube

ରାୟଗଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା ‘ପିଏମ ଜନମନ’ର ଲକ୍ଷ୍ୟ ସହ ସମ୍ୱନ୍ୱିତ ହୋଇ ରାୟଗଡା ଜିଲ୍ଲା ପ୍ରଶାସନ ଓଡ଼ିଶାରେ ପ୍ରଥମ ଥର ପାଇଁ (PVTG) ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ନିୟମଗିରିର କୁର୍ଲି ପଞ୍ଚାୟତ ଠାରେ ସଫଳତାର ସହ ଉଦ୍ଘାଟିତ ହୋଇଯାଇଛି।

ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମରେ ନିୟମଗିରି ଖମ୍ବେସୀ ଗ୍ରାମ ଠାରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ପ୍ରୟାସ ମାଧ୍ୟମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା PVTG ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଘର ପର୍ଯ୍ୟନ୍ତ ଭତ୍ତା ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି। ଏହା ନିୟମଗିରିର ଶତାଧିକ ହିତାଧିକାରୀଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି ପ୍ରଶାସନ ଆଶା ରଖିଛି।

ଏହି ପଦକ୍ଷେପକୁ କେବଳ ଏକ ଦାୟିତ୍ୱ କିମ୍ବା ଦୃଷ୍ଟିକୋଣ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା କରିଥିବା ଦେଖିବାକୁ ମିଳିଛି। PVTG ଅଞ୍ଚଳର ହିତାଧିକାରୀଙ୍କ ନିମନ୍ତେ ଭତ୍ତା ବିତରଣ ପାଇଁ ବିଶେଷ ଭାବେ ଡିଜାଇନ୍ ହୋଇଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନ୍ସନ ପହଞ୍ଚାଇବାର ପ୍ରୟାସ କରାଯାଇଛି।

ପ୍ରକାଶ ଥାଉକି, NSAP ଯୋଜନା ଅଧୀନରେ DBT ମାଧ୍ୟମରେ ପେନ୍ସନ ରାଶି ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନ୍ସନ ଯୋଜନା (MBPY) ହିତାଧିକାରୀମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଥିଲା। ଭୌଗୋଳିକ ଦୃଷ୍ଟିରୁ ଏବଂ ଦୁର୍ଗମ ପାହାଡ଼ ଓ ଜଙ୍ଗଲ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ ଏହି ନୂତନ ପ୍ରୟୋଗ ଦ୍ୱାରା ବିଷମକଟକ ବ୍ଲକ ପ୍ରଶାସନ ନିୟମଗିରି ଅଞ୍ଚଳର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା”ର ବାଟ ଆପଣାଇଛି।

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ଯେ, “ଏହା କେବଳ ଭତ୍ତା ବଣ୍ଟନ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ, ଏବଂ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।”

ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି ଯେ, ଏହି ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତର ପ୍ରାୟ ୫୨୦, କାଙ୍କୁବାଡିର କୁର୍ମା ଗ୍ରାମର ୩, ଚାଞ୍ଚଡାଗୁଡାର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତର ୨୮୪, ଏହିପରି ଚାରୋଟି PVTG ପଞ୍ଚାୟତର ପ୍ରାୟ ୧୧୧୭ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ।

ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ଏହି ପଦକ୍ଷେପ ଆମ ଅଞ୍ଚଳର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ। ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଶଦା ହୁଇକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ବିଷମକଟକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି ଏବଂ ଡିଇଓ ସର୍ବଜିତ ପାଢ଼ୀ ଏହି କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିବା ବେଳେ ଏହାକୁ ସଫଳ ଆୟୋଜନ ପାଇଁ ସମସ୍ତ ବ୍ଲକ ପ୍ରଶାସନ ନିଜର ଯୋଗଦାନ ଦେଇଥିବା ବିଷମକଟକ ବିଡିଓ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.