ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ହତ୍ୟାକରି ଆତ୍ମସମର୍ପଣ କଲା ବାପା

youtube

କାମାକ୍ଷାନଗର : ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ  l ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବାପା  l  ହତ୍ୟା କରିବା ପରେ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ବାପା  l  ମୃତ ଯୁବକ ଜଣକ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତର ୧ ନମ୍ବର କଲୋନୀର କରୁଣାକର ବେହେରା  l  ହତ୍ୟାକାରୀ ସେହି ପଞ୍ଚାୟତ ମୋହନପଶି ଗ୍ରାମର ରୁପା ପିଙ୍ଗୁଆ ହୋଇଥିବା ଜଣାପଡିଛି  l

ସୂଚନା ଅନୁସାରେ, ୧ ନମ୍ବର କଲୋନୀର କାଶୀନାଥ ବେହେରାଙ୍କ ପୁଅ କରୁଣାକର, ଜେସିବି ହେଲ୍ପର ଭାବରେ କାମ କରୁଥିବା ବେଳେ ଗତ ତିନିଦିନ ଧରି ମୋହନପଶି ଗାଁରେ ରହି କାମ କରୁଥିଲେ  l  ଗତକାଲି ରାତିରେ କରୁଣାକର ରୁପା ପିଙ୍ଗୁଆଙ୍କ ଝିଅକୁ ଅସଦାଚରଣ କରୁଥିବା ବେଳେ ରୁପା ପିଙ୍ଗୁଆ ଏହାକୁ ଦେଖି ଦେଇଥିଲେ  l  ଏଥିରେ ଉତକ୍ଷିପ୍ତ ହୋଇ ରୁପା ପିଙ୍ଗୁଆ ଏକ ଧାରୁଆ ଅସ୍ତ୍ରରେ କରୁଣାକରଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିଲେ  l

ହତ୍ୟା କରିବା ପରେ ମୃତ ଦେହକୁ ଗାଁ ନିକଟରେ ଥିବା ଗମ୍ଭାରୀଆ ନାଳ ନିକଟରେ ଫିଙ୍ଗିଦେଇ ଦଦରାଘାଟି ଫାଣ୍ଡିକୁ ଯାଇ ଆତ୍ମସମର୍ପଣ କରିଥିଲେ  l  ତେବେ ଖବର ପାଇ ମୃତକ କରୁଣାକରଙ୍କ ବାପା କାଶୀନାଥ ଓ ଅନ୍ୟ ସମ୍ପର୍କୀୟମାନେ ମୋହନପଶି ଗାଁରେ ପହଞ୍ଚି ପୁଅକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା  ଅଭିଯୋଗ କରିଛନ୍ତି  l

ସମସ୍ତ ହତ୍ୟା ଅଭିଯୁକ୍ତଙ୍କୁ  ଧରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ପୋଲିସ ନିକଟରେ ଦାବି କରିଛନ୍ତି ମୃତକଙ୍କ ପରିବାର  l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ହତ୍ୟାକାରୀ ରୁପା ପିଙ୍ଗୁଆଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା ଜାରି ରଖିଛି  l

Leave A Reply

Your email address will not be published.