
ନୂଆଦିଲ୍ଲୀ: ବ୍ରହ୍ମୋସ ରେଞ୍ଜରେ ରହିଛି ପୁରା ପାକିସ୍ତାନ । ଲକ୍ଷ୍ନୌରୁ ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୁର ବେଳେ ଯାହା ହୋଇଥିଲା ତାହା କେବଳ ଟ୍ରେଲର ଥିଲା । ଯଦି ପାକିସ୍ତାନ ପୁଣି କୌଣସି ପଦକ୍ଷେପ ନିଏ ତାହେଲେ ବଡ ଫଳ ଭୋଗିବ । ଲକ୍ଷ୍ନୌ ଠାରେ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରଥମ ବ୍ୟାଚର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ରାଜନାଥ ସିଂ ।
ଏବେ ସମ୍ପୂର୍ଣ୍ଣ ପାକିସ୍ତାନ ବ୍ରହ୍ମୋସ୍ ରେଞ୍ଜରେ ଅଛି । ବ୍ରହ୍ମୋସ ଏକ କ୍ଷେପଣାସ୍ତ୍ର ନୁହେଁ ବରଂ ଭାରତର ବର୍ଦ୍ଧିତ ସ୍ୱଦେଶୀ ସାମରିକ କ୍ଷମତାର ପ୍ରତୀକ । ଏହାର ପାରମ୍ପରିକ ଯୁଦ୍ଧାସ୍ତ୍ର, ଉନ୍ନତ ମାର୍ଗଦର୍ଶନ ପ୍ରଣାଳୀ ଓ ସୁପରସୋନିକ୍ ଗତିର ମିଶ୍ରଣ । ଏଥିପାଇଁ ବ୍ରହ୍ମୋସକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ଭାବେ ବିବେଚନା କରାଯାଉଛି ବୋଲି ରାଜନାଥ କହିଛନ୍ତି । ତେବେ ୨୦୨୧ ଡିସେମ୍ବରରେ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟର ଭିତ୍ତିପ୍ରସ୍ତର ହୋଇଥିଲା ଓ ୨୦୨୫, ମେ’ ୧୧ରେ ଆନୁଷ୍ଠାନିକ ଭାବେ ଏହାର ଉଦ୍ ଘାଟନ ହୋଇଥିଲା । ଏହି ୟୁନିଟ୍ ପ୍ରତିବର୍ଷ ୮୦ ରୁ ୧୦୦ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ ଲକ୍ଷ୍ୟ ରଖିଛି ।